Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧାପନ୍ତରିଆ ବାଇପାସ୍ ରାସ୍ତା ପାଲଟିଛି ମରଣଯନ୍ତା: ଟ୍ରକ୍ ଧକ୍କାରେ ବଳଦ ମୃତ, ପୂର୍ବତନ ସେନାବାହିନୀ ଯବାନଙ୍କ ଜୀବନ ଯିବା ପରେ ବି ନିଦ୍ରାପ୍ରାପ୍ତ ଏନଏଚଏଆଇ (NHAI), ବ୍ୟାପକ ଆନ୍ଦୋଳନ ଚେତାବନୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ସଦର ମହକୁମା ଦଶଘରିଆ ବାଇପାସ୍ ଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ନିତ୍ୟ ନିୟମିତ ଭାବେ ଦୁର୍ଘଟଣା ଘଟି ଚାଲିଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ ବିଭିନ୍ନ ଆଳ ଦେଖାଇ ବାଇପାସ୍ ରାସ୍ତାର କାମ ସମ୍ପୂର୍ଣ୍ଣ କରାଯାଉନାହିଁ। ପୁରୁଣା ଓ ନୂଆ ରାସ୍ତାର ସଂଯୋଗ ସ୍ଥଳୀ ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ଏହା ଏବେ ଏକ ମରଣ ଯନ୍ତାରେ ପରିଣତ ହୋଇଛି। ଗତକାଲି ରାତିରେ ଏହି ବାଇପାସ୍ ଠାରେ ଏକ ବଳଦକୁ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି। ବିଭାଗୀୟ ନିୟମ ଅନୁସାରେ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଜାତୀୟ ରାଜପଥରେ ପାଟ୍ରୋଲିଂ କରାଯିବାର କଥା; ମାତ୍ର କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଆଜି ସକାଳ ପର୍ଯ୍ୟନ୍ତ ମୃତ ଗୋରୁକୁ ରାସ୍ତାରୁ ହଟା ଯାଇନାହିଁ। ଏହି ବିପଦସଙ୍କୁଳ ଛକରେ ପୂର୍ବରୁ ଅନେକ ଭୟଙ୍କର ଦୁର୍ଘଟଣା ଘଟିସାରିଛି। ଜଣେ ପୂର୍ବତନ ସେନାବାହିନୀ ଯବାନଙ୍କର ମଧ୍ୟ ଏହି ଦୁର୍ଘଟଣା କାରଣରୁ ମୃତ୍ୟୁ ଘଟିଥିବା ନଜିର ରହିଛି। ଏହା ବ୍ୟତୀତ ନିକଟରେ ସ୍କୁଲ୍ ଥିବାରୁ କୋମଳମତି ଛାତ୍ରଛାତ୍ରୀ, ଥାନା, ଗ୍ରାମ୍ୟ ନିର୍ମାଣ ବିଭାଜନ ସଂସ୍ଥା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ତହସିଲ ଅଫିସ, ଉଦ୍ୟାନ କାର୍ଯ୍ୟଲୟ, ଦଶଘରିଆପଡ଼ା, ସମବାୟ ବ୍ୟାଙ୍କ ସମେତ ଅନେକ କାର୍ଯ୍ୟଳୟ ଥିବାରୁ ଶତାଧିକ ଲୋକ ପ୍ରତ୍ୟେକ ଦିନ ଯାତାୟତ କରୁଛନ୍ତି। ଏଥିସହିତ ଉକ୍ତ ପଡ଼ାରେ ୨ ଶହରୁ ଅଧିକ ଲୋକ ରହୁଥିବାରୁ ପାଦଚଲା ଲୋକଙ୍କ ପାଇଁ ଏହି ରାସ୍ତା ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ପ୍ରତିଦିନ ସ୍କୁଲ୍ ସମୟରେ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ଲାଗିରହିଛି। ଛକରେ ଉପଯୁକ୍ତ ହାଇ-ମାଷ୍ଟ୍ ଷ୍ଟ୍ରୀଟ୍ ଲାଇଟ୍ ଲଗାଯିବା ପରିବର୍ତ୍ତେ ଆଖିଠାର ନ୍ୟାୟରେ ଏକ ଛୋଟିଆ ଲାଇଟ୍ ଲଗାଯାଇଛି, ଯାହାକି କୌଣସି କାମରେ ଆସୁନାହିଁ। ରାସ୍ତା କଡ଼ରେ ଲାଇଟ୍ ଖୁମ୍ବ ଗୁଡ଼ିକ ଏଣେତେଣେ ପଡ଼ି ନଷ୍ଟ ହେବାକୁ ବସିଲାଣି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନନେବା ଯୋଗୁଁ ସ୍ଥାନୀୟ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାର ତୁରନ୍ତ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ବାଧ୍ୟ ହୋଇ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଦୃଢ଼ ଦାବି କରିଛନ୍ତି।
ଏ ସମସ୍ୟା ସଂକ୍ରାନ୍ତରେ ଏନଏଚଏଆଇ ପିଡି ଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ କଲ୍ ନ ଉଠେଇବାରୁ ମତାମତ ନିଆଯାଇ ପାରିଲା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories