ତୁଟୁନି ରେଭେନ୍ସା ବିବାଦ ! ବିଶ୍ୱବିଦ୍ୟାଳୟ ଉତ୍ତେଜନାକୁ ନେଇ କୁଳପତିଙ୍କ ପ୍ରତିକ୍ରିୟା
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ନାମାଙ୍କନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଏପର୍ଯ୍ୟନ୍ତ ଥମିବାର ନାଁ ଧରୁନାହିଁ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମଧ୍ୟରେ ଚାଲିଥିବା ମତଭେଦ ଯୋଗୁଁ କ୍ୟାମ୍ପସରେ ଅସନ୍ତୋଷ ଜାରି ରହିଛି। ସରକାରଙ୍କ ପକ୍ଷରୁ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ ନାମାଙ୍କନ କରାଯାଇଥିବା ଚିଠି ପ୍ରକାଶ ପାଇବା ପରେ ବିବାଦ ଆହୁରି ତୀବ୍ର ହୋଇଛି।
ବିବାଦର ମୂଳ ସୂତ୍ରପାତ ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନଙ୍କ ପ୍ରତିବାଦ ଓ ଅନଶନରୁ ହୋଇଥିବା କୁହାଯାଉଛି। ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ ବିଶ୍ୱବିଦ୍ୟାଳୟ ପ୍ରଶାସନ, ଶିକ୍ଷକ ସଂଘ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ମତଭେଦକୁ ଆହୁରି ଗଭୀର କରିଦେଇଥିଲା। ଏହି ପରିପ୍ରେକ୍ଷୀରେ କୁଳପତି କହିଛନ୍ତି ଯେ, ଘଟଣା ଉପରେ କୁଳାଧିପତି ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଦା ନଜର ରଖିବା ସହ ବିଶ୍ୱବିଦ୍ୟାଳୟ ସହ ନିୟମିତ ଆଲୋଚନା କରୁଛନ୍ତି। ବିବାଦର ସମାଧାନ ଲକ୍ଷ୍ୟରେ ସେ ଶିକ୍ଷକ ସଂଘ ଏବଂ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ପୃଥକ୍ ଭାବେ ବୈଠକ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସର୍ବସମ୍ମତ ନିଷ୍ପତ୍ତିରେ ପହଞ୍ଚିହେବା ସମ୍ଭବ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କୁଳପତିଙ୍କ କହିବା ଅନୁସାରେ, ବର୍ତ୍ତମାନ ବିବାଦକୁ ନେଇ ଚର୍ଚ୍ଚା ଜାରି ରହିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ, ପରୀକ୍ଷା ବ୍ୟବସ୍ଥା କିମ୍ବା ହଷ୍ଟେଲ ପରିଚାଳନାରେ କୌଣସି ବାଧା ସୃଷ୍ଟି ହୋଇନାହିଁ। କ୍ୟାମ୍ପସର ସମସ୍ତ ଏକାଡେମିକ୍ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମ ପୂର୍ବଭଳି ସ୍ୱାଭାବିକ ଭାବେ ଚାଲିଛି। ଅନ୍ୟପକ୍ଷରେ, ଅଚଳାବସ୍ଥାର ସମାଧାନ ପାଇଁ କୁଳାଧିପତି, ଉଚ୍ଚଶିକ୍ଷା ବିଭାଗ ଓ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ପ୍ରକ୍ରିୟା ଜାରି ରହିଛି। ଏହି ବିବାଦର କେବେ ଅନ୍ତ ଘଟିବ ଏବଂ ରେଭେନ୍ସା କ୍ୟାମ୍ପସର ପରିସ୍ଥିତି କେବେ ସମ୍ପୂର୍ଣ୍ଣ ଭାବେ ସ୍ଥିର ହେବ, ତାହାକୁ ନେଇ ଶିକ୍ଷାବିତ୍, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

