Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ହାଇକୋର୍ଟ ବୋମା ଧମକ ମାମଲାରେ ନୂଆ ମୋଡ଼; ସନ୍ଦିଗ୍ଧ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଲିଙ୍କ୍ ଖୋଜୁଛି ପୁଲିସ

କଟକ :କଟକ ହାଇକୋର୍ଟକୁ ବାରମ୍ବାର ଇ-ମେଲ୍‌ ମାଧ୍ୟମରେ ମିଳୁଥିବା ବୋମା ଧମକ ମାମଲାରେ ତଦନ୍ତ ଜୋରଦାର କରିଛି କମିଶନରେଟ୍ ପୁଲିସ। ଧମକପୂର୍ଣ୍ଣ ଇ-ମେଲ୍‌ର ଉତ୍ସ ଖୋଜିବା ପାଇଁ କଟକ ପୁଲିସର ଏକ ସ୍ୱତନ୍ତ୍ର ଦଳ ତାମିଲନାଡୁ ଗସ୍ତ କରି ଫେରିଛି। ନିକଟରେ ତାମିଲନାଡୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ATS) ଦ୍ୱାରା ଗିରଫ ହୋଇଥିବା ସଫ୍ଟୱେୟାର ଇଞ୍ଜିନିୟର ଶରତ ସୁବ୍ରମଣ୍ୟମ୍ ଶଙ୍କରଙ୍କ ସହ ଏହି ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ସେହି ଦିଗରେ ପୁଲିସ ତଦନ୍ତ ଆଗକୁ ବଢ଼ାଇଛି।

ପୁଲିସ ସୂଚନା ଅନୁସାରେ, ବିଭିନ୍ନ ରାଜ୍ୟର ସରକାରୀ ପ୍ରତିଷ୍ଠାନ ଓ ସଂସ୍ଥାଗୁଡ଼ିକୁ ବୋମା ଧମକ ଇ-ମେଲ୍‌ ପଠାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗରେ ଶରତଙ୍କୁ ଗତ ଜୁଲାଇ ୨୨ ତାରିଖରେ ତାମିଲନାଡୁ ATS ଗିରଫ କରିଥିଲା। ସେ ବର୍ତ୍ତମାନ ତାମିଲନାଡୁର ଏକ କାରାଗାରରେ ଥିବାରୁ କଟକ ପୁଲିସ ତାଙ୍କୁ ସିଧାସଳଖ ପଚରାଉଚରା କରିପାରିନଥିଲା। ତେଣୁ କଟକ ହାଇକୋର୍ଟ ବୋମା ଧମକ ମାମଲା ସମ୍ପର୍କିତ ସମସ୍ତ ପ୍ରମାଣ ଓ ତଥ୍ୟ ତାମିଲନାଡୁ ପୁଲିସ ଏବଂ ATSକୁ ହସ୍ତାନ୍ତର କରାଯାଇଛି, ଯାହାଦ୍ୱାରା ଉଭୟ ମାମଲାର ସମ୍ଭାବ୍ୟ ସମ୍ପର୍କକୁ ଖତିଆନ କରାଯାଇପାରିବ।

ତଦନ୍ତକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଶରତଙ୍କ ଭୂମିକାକୁ ନେଇ ଗଭୀର ତଦନ୍ତ ଚଳାଇଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ତିରୁନେଲଭେଳି ଜିଲ୍ଲାର ଆମ୍ବାସମୁଦ୍ରମ ଅଞ୍ଚଳର ବାସିନ୍ଦା ଶରତ ସୁବ୍ରମଣ୍ୟମ୍ ଶଙ୍କର ଆମେରିକାର ଟେକ୍ସାସରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି ହେବା ପରେ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ବୋମା ଧମକ ଘଟଣା ସହ ତାଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories