Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧାରୁ ସ୍ଥଗିତ ଡିଜିପି ଚୟନ ବୈଠକ; ନିଷ୍ପତ୍ତି ଅଟକିବାକୁ ନେଇ ବଢ଼ିଲା ଚର୍ଚ୍ଚା!

ଭୁବନେଶ୍ୱର: ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ଚୟନକୁ ନେଇ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ୟୁପିଏସ୍‌ସି ବୈଠକ ଅଧାରୁ ସ୍ଥଗିତ ହୋଇଛି। ନୂଆଦିଲ୍ଲୀସ୍ଥିତ ୟୁପିଏସ୍‌ସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ବସିଥିଲା। ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଡିଜି ୱାଇ.ବି. ଖୁରାନିଆ ଉପସ୍ଥିତ ଥିଲେ। ତେବେ ଆଲୋଚନା ମଧ୍ୟରେ ବୈଠକ ସ୍ଥଗିତ ହୋଇଯିବାରୁ ଡିଜିପି ଚୟନ ପ୍ରକ୍ରିୟା ନେଇ ଅନିଶ୍ଚିତତା ବଢ଼ିଛି।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ୧୧ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ତାଲିକାରୁ ବରିଷ୍ଠତା ଓ ନିୟମ ଆଧାରରେ ୩ ଜଣଙ୍କ ନାମ ସର୍ଟଲିଷ୍ଟ କରାଯିବାର ଥିଲା। ପରେ ଏହି ତିନିଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ଡିଜିପି ଭାବେ ନିଯୁକ୍ତ କରିଥାନ୍ତେ। କିନ୍ତୁ ବୈଠକରେ ସର୍ଟଲିଷ୍ଟ ହୋଇଥିବା ତିନି ଅଧିକାରୀଙ୍କ ମଧ୍ୟରୁ ଜଣଙ୍କ ନାମକୁ ବାଦ ଦେବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଓପିଆରବି ପରୀକ୍ଷା ସମ୍ପର୍କିତ ମାମଲାରେ ତଦନ୍ତ ଚାଲିଥିବା ଏବଂ ବିଭାଗୀୟ ଶୃଙ୍ଖଳାଗତ ପଦକ୍ଷେପ ନେବା ପ୍ରକ୍ରିୟା ଚାଲିଥିବା ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ତେବେ ସମ୍ପୃକ୍ତ ଅଧିକାରୀଙ୍କ ନାମକୁ ବାଦ ଦେବା ପାଇଁ ଆବଶ୍ୟକ ବୈଧ ଦସ୍ତାବିଜ ଉପସ୍ଥାପନ କରାଯାଇନଥିବାରୁ ଏହା ସମ୍ଭବ ନୁହେଁ ବୋଲି ୟୁପିଏସ୍‌ସି ଅଧ୍ୟକ୍ଷ ସ୍ପଷ୍ଟ କରିଥିବା ସୂଚନା ମିଳିଛି। ଏହାପରେ ଚୟନ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା ଏବଂ କୌଣସି ନିଷ୍ପତ୍ତି ନ ନେଇ ବୈଠକକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ବୈଠକ ପାଇଁ ରାଜ୍ୟ ସରକାର ଅଧିକ ସମୟ ମାଗିଥିବା ମଧ୍ୟ ଜଣାପଡ଼ିଛି। ବର୍ତ୍ତମାନ ଡିଜି ୱାଇ.ବି. ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବାକୁ ଥିବାରୁ ତା’ ପୂର୍ବରୁ ନୂଆ ଡିଜିପି ଚୟନ ହେବା ଆବଶ୍ୟକ। ଏପରି ସ୍ଥିତିରେ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୮ ଦିନ ବାକି ଥିବାବେଳେ ଚୟନ ବୈଠକ ଅଧାରୁ ସ୍ଥଗିତ ହେବା ଘଟଣାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ