କାଠଯୋଡ଼ିକୁ ଯୁବକ ଡେଇଁ ପଡିବା ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼! ନଦୀରେ ନୁହେଁ ବରଂ ଘରେ ଶୋଇବା ଅବସ୍ଥାରେ ମିଳିଲେ
କଟକ: କଟକ ତ୍ରିଶୂଳିଆସ୍ଥିତ ସୁବାସ ସେତୁରୁ କାଠଯୋଡ଼ି ନଦୀକୁ ଜଣେ ଯୁବକ ଡେଇଁ ନିଖୋଜ ହୋଇଥିବା ଘଟଣାରେ ଆସିଛି ଟ୍ଵିଷ୍ଟ । ଯୁବକ ଜଣକ ନଦୀକୁ ଡେଇଁନଥିବା ବେଳେ ବ୍ରିଜ୍ ଉପରେ ମୋବାଇଲ୍ ଫୋନ୍ ଓ ରେନକୋର୍ଟ ଛାଡ଼ି ଘରକୁ ଫେରିଆସିଥିବା ଜଣାପଡ଼ିଛି। ନିଖୋଜ ଥିବା ଯୁବକ ଜଣକ ହେଉଛନ୍ତି ଲିପୁ ସାହୁ। ପାରିବାରିକ କଳହକୁ ନେଇ ସେ ମାନସିକ ଚାପରେ ଥିବା ଏବଂ ଏହି ଚରମ ପଦକ୍ଷେପ ନେବା ଉଦ୍ଦେଶ୍ୟରେ କାଠଯୋଡ଼ି ନଦୀ ନିକଟକୁ ଆସିଥିବା ପୁଲିସକୁ କହିଛି ।
ଘଟଣା ପରେ ମୋବାଇଲ୍ ଓ ରେନକୋର୍ଟ ବ୍ରିଜ୍ ଉପରେ ପଡ଼ିଥିବାରୁ ଯୁବକ ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଥିଲା। ଏହାପରେ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହି ସମୟରେ ଲିପୁଙ୍କ ପତ୍ନୀ ତାଙ୍କ ମୋବାଇଲ୍କୁ ଫୋନ୍ କରିବାରୁ ପୁଲିସ ତାଙ୍କ ସହ ଯୋଗାଯୋଗ କରିଥିଲା। ଫୋନ୍ ଉଠାଇ ଲିପୁ ନିଜେ ତାଙ୍କ ମାଆଙ୍କ ଘରେ ଥିବା କହିଥିଲେ। ପରେ ପୁଲିସ ଲିପୁ, ତାଙ୍କ ପତ୍ନୀ ଓ ମାଆଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛି।

