ଏଣିକି ଜଣିକିଆ ଶିକ୍ଷକରେ ଆଉ ଚାଲିବନି ସ୍କୁଲ! ୧୫ ଦିନ ଭିତରେ ଶିକ୍ଷକ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ଜଣିକିଆ ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକରେ ଏଣିକି ଅତିରିକ୍ତ ଶିକ୍ଷକ ନିଯୁକ୍ତ ହେବେ। ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି।
ଜଣିକିଆ ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି। ଯେଉଁଠାରେ ଆବଶ୍ୟକତା ରହିଛି, ସେଠାରେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଶ୍ଚିତ କରାଯିବ। ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ନିର୍ଦ୍ଧାରିତ ଶିକ୍ଷକ-ଛାତ୍ର ଅନୁପାତ ଓ ଆବଶ୍ୟକ ଶିକ୍ଷକ ସଂଖ୍ୟା ରହିବା ବାଧ୍ୟତାମୂଳକ। ତଥାପି ରାଜ୍ୟର ଅନେକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ତଥ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଦୀର୍ଘଦିନ ଧରି ଶିକ୍ଷକ ଅଭାବ ନେଇ ଅଭିଯୋଗ ଆସିବା ପରେ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି। ଜଣିକିଆ ଶିକ୍ଷକ ଥିବା ସମସ୍ତ ସ୍କୁଲର ତାଲିକା ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ନେବା ସହ ୧୫ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଏହି ପଦକ୍ଷେପ ଫଳରେ ରାଜ୍ୟର ଏକକ ଶିକ୍ଷକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର ହେବା ସହ ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

