Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା: ନିମ୍ନମାନର କାମ ଓ ଛୋଟ କଲଭର୍ଟ ପାଇଁ ଧୋଇଗଲା ଆପ୍ରୋଚ୍ ରାସ୍ତା, ବିଭାଗର ଅଣଦେଖା

ଜମନକିରା : ସରକାର ଗ୍ରାମାଞ୍ଚଳର ଯୋଗା ଯୋଗ ବ୍ୟବସ୍ଥାର ସୁଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟ କେତେ ନିମ୍ନମାନର ହେଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପି.ଡବ୍ଲୁ.ଡି ରାସ୍ତାରୁ ରେଙ୍ଗାଲବେଡ଼ା ଭାୟା କଲାପାଟ, ଜୁନାନି ସଡ଼କ ନିର୍ମାଣରେ। ସାମାନ୍ୟ ବର୍ଷାରେ ହିଁ କଲଭର୍ଟ ନିକଟସ୍ଥ ଆପ୍ରୋଚ୍ ରାସ୍ତା ଅଧାରୁ ଅଧିକ ଧୋଇ ହୋଇ ନଷ୍ଟ ହୋଇଯାଇଛି। ଫଳରେ ଗ୍ରାମବାସୀ ଓ ପଥଚାରୀଙ୍କ ପାଇଁ ଯାତାୟାତ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଛି। ପ୍ରକଳ୍ପ ଫଳକ ଅନୁଯାୟୀ, “ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା” ଅଧୀନରେ ୪ କୋଟି ୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଏହି ୬ କିଲୋମିଟର ୨୦୦ ମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଏହାର କାର୍ଯ୍ୟକାରୀ ସଂସ୍ଥା ‘ଇସ୍ତକନ ବିଲ୍ଡର୍ସ, ସମ୍ବଲପୁର’ ଏବଂ ଦାୟିତ୍ୱରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ, ସମ୍ବଲପୁର, କୁଚିଣ୍ଡାର ଅଧୀକ୍ଷଣ ଯନ୍ତ୍ରୀ ରହିଥିଲେ। ପାଣି ନିଷ୍କାସନ ପାଇଁ ଆବଶ୍ୟକତାଠାରୁ ଅତ୍ୟନ୍ତ ଛୋଟ କଲଭର୍ଟ ନିର୍ମାଣ କରାଯାଇଛି। ଏହାସହ ଆପ୍ରୋଚ୍ ରାସ୍ତାରେ ସୂଚନା ଫଳକରେ ଦର୍ଶାଯାଇଥିବା ନିୟମାନୁସାରେ ମାଟି, ମେଟାଲ୍ ଓ ରୋଲିଂ କାମ ନକରି କେବଳ ହାଲୁକା ମାଟି-ପଥର ପକାଇ କାମ ସାରି ଦିଆଯାଇଥିଲା।ସାମାନ୍ୟ ବର୍ଷା ଜଳର ସ୍ରୋତରେ ଆପ୍ରୋଚ୍ ରାସ୍ତାର ବଡ଼ ଅଂଶ ଧୋଇ ଯାଇ ଗଭୀର ଖାଲ ସୃଷ୍ଟି ହୋଇଛି। ପାଣି ଗତିପଥ ପାଇଁ ସଠିକ୍ କଲଭର୍ଟ ନଥିବାରୁ ଜଳସ୍ରୋତ ରାସ୍ତାକୁ କାଟି ନେଇଛି। ଚଳିତ ବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ ହୋଇଥବା ସୂଚନା ଫଳକରେ ଉଲ୍ଲେଖ ହୋଇଥିବା ବେଳେ ମାତ୍ର ୩/୪ ମାସ ମଧ୍ୟରେ ରାସ୍ତାର ସ୍ଥିତି ଏଭଳି ହୋଇଛି।ସୂଚନା ଫଳକ ଅନୁସାରେ, ତାରିଖ୦୫.୦୨.୨୦୨୬ ରୁ ତାରିଖ୦୪.୦୨.୨୦୩୧ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଏହି ରାସ୍ତାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଠିକାଦାରଙ୍କର। ଏଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍ ମୋଟ ମଧ୍ୟ ରହିଛି। ପ୍ରକଳ୍ପ ସୂଚନା ବୋର୍ଡରେ “ବର୍ଷାରେ ଧୋଇ ଯାଇଥିବା ସ୍ଥାନର ପୁନରୁଦ୍ଧାର” ପାଇଁ ବ୍ୟବସ୍ଥା ଥିବା ସ୍ପଷ୍ଟ ଲେଖା ଯାଇଥିଲେ ହେଁ, ରାସ୍ତା ଧୋଇ ଯିବା ପରେ ବି ପ୍ରାରମ୍ଭିକ ପଦକ୍ଷେପ ନିଆଯାଇ ନାହିଁ।
ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଦେବର୍ଷୀ ନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ, ସେ ସମସ୍ୟାର ଗାମ୍ଭୀର୍ଯ୍ୟକୁ ସ୍ୱୀକାର କରିବା ସହ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ଏବଂ ରାସ୍ତାର ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସରକାରୀ ଅର୍ଥର ଏଭଳି ବ୍ୟାପକ ହରିଲୁଟ୍ ଏବଂ ନିମ୍ନମାନର କାମ ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ନିମ୍ନମାନର କାର୍ଯ୍ୟ କରିଥିବା ଠିକା ସଂସ୍ଥା ‘ଇସ୍ତକନ ବିଲ୍ଡର୍ସ’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଏହି ଆପ୍ରୋଚ୍ ରାସ୍ତା ଓ କଲଭର୍ଟର ସ୍ଥାୟୀ ମରାମତି କରାଯାଇ ଯାତାୟାତ ସ୍ୱାଭାବିକ କରାଯାଉ, ନଚେତ୍ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦୃଢ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories