ଜମନକିରା ବ୍ଲକରେ ପ୍ରବଳ ବର୍ଷା: ସୋଲଘରା ଗ୍ରାମରେ ଆଡ଼ିବନ୍ଧ ଭାଙ୍ଗି ଚାଷଜମି ନଷ୍ଟ, ଘଟଣାସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ ରବିନାରାୟଣ ନାଏକ
ଜମନକିରା : ଲଗାଣ ଓ ପ୍ରବଳ ବର୍ଷା ଯୋଗୁଁ ଜମନକିରା ବ୍ଲକ ଅନ୍ତର୍ଗତ ସୋଲଘରା ଗ୍ରାମରେ ଏକ ଆଡ଼ିବନ୍ଧ ଭାଙ୍ଗିଯାଇ ବ୍ୟାପକ ଚାଷଜମି ନଷ୍ଟ ହୋଇଛି। ଏହି ଖବର ପାଇବା ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସ୍ଥିତି ପରଖିବା ପାଇଁ ସିଧାସଳଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବନ୍ୟା ଓ ବର୍ଷାଜନିତ ଜଳମଗ୍ନ ପରିସ୍ଥିତି ସତ୍ତ୍ୱେ ମନ୍ତ୍ରୀ ବନ୍ୟା ଜଳରେ ପଶି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସାକ୍ଷାତ କରିଛନ୍ତି। ଏହି ବିପଦ ସମୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ଓ ଦୁଃଖସୁଖ ବୁଝିଛନ୍ତି। ଏହାସହ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ଆଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପ-ଜିଲ୍ଲାପାଳ ସରଭରାନ. ସି, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ। ଏହାପରେ ମନ୍ତ୍ରୀ ଜମନକିରା ବ୍ଲକର ଭୋଜପୁର ଅଞ୍ଚଳରେ ବୁଲି ଲୋକଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧାର ସମୀକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

