ଆଧାରକାର୍ଡ ଭଳି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ଏଗ୍ରିଷ୍ଟେକ୍ ID; ଘରେ ପହଞ୍ଚି ପଞ୍ଜିକରଣ କରିବେ ଅଧିକାରୀ
ଭୁବନେଶ୍ୱର: ଏଣିକି ଆଧାରକାର୍ଡ ଭଳି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର। ଚାଷୀଙ୍କ ପାଇଁ ଏଗ୍ରିଷ୍ଟେକ୍ ID ପ୍ରସ୍ତୁତ କରାଯିବ। ଏଥିପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ ପଞ୍ଜିକରଣ ପ୍ରକ୍ରିୟାରେ ସହଯୋଗ କରିବେ। ସମବାୟ ସଂସ୍ଥା ମାଧ୍ୟମରେ ଚାଷୀଙ୍କ ଏଗ୍ରିଷ୍ଟେକ୍ ID ପଞ୍ଜିକରଣ କରାଯିବ। ଯେଉଁ ଚାଷୀ ସମବାୟ ସଂସ୍ଥାକୁ ଆସି ପଞ୍ଜିକରଣ କରିପାରିବେ ନାହିଁ, ସେମାନଙ୍କ ଘରକୁ ଯାଇ ଅଧିକାରୀମାନେ ପଞ୍ଜିକରଣ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଏଗ୍ରିଷ୍ଟେକ୍ ID ଜେନେରେଟ୍ ହେବା ପରେ ଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏଥିରେ ଚାଷୀଙ୍କ ସହ ଜଡ଼ିତ ବିଭିନ୍ନ କୃଷି ସମ୍ପର୍କିତ ତଥ୍ୟ ରହିବ। ଚାଷୀ ନେଇଥିବା ଋଣ, ବିହନ, ସାର ଆଦି ସମ୍ପର୍କିତ ସୂଚନା ମଧ୍ୟ ଏହି ଡିଜିଟାଲ୍ ପରିଚୟ ସହ ଯୋଡ଼ାଯିବ। ଏହାଦ୍ୱାରା ଚାଷୀଙ୍କ ତଥ୍ୟ ଏକ ବ୍ୟବସ୍ଥିତ ଡିଜିଟାଲ୍ ପ୍ଲାଟଫର୍ମକୁ ଆସିବା ସହ ସରକାରୀ କୃଷି ସୁବିଧା ଓ ବିଭିନ୍ନ ସେବା ପାଇବା ପ୍ରକ୍ରିୟା ଅଧିକ ସହଜ ହେବ। ଭାଗଚାଷୀମାନେ ମଧ୍ୟ ଜମି ମାଲିକଙ୍କଠାରୁ ଅଣ୍ଡରଟେକିଂ ଆଣି ଏଗ୍ରିଷ୍ଟେକ୍ ID ପାଇଁ ପଞ୍ଜିକରଣ କରିପାରିବେ।
ତେବେ ଏଗ୍ରିଷ୍ଟେକ୍ IDକୁ ନେଇ ଚାଷୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର କରିଛନ୍ତି ସରକାର। ଚଳିତ ବର୍ଷ ଏଗ୍ରିଷ୍ଟେକ୍ ID ନଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ କହିବାନୁସାରେ, ଏଗ୍ରିଷ୍ଟେକ୍ ID ବାଧ୍ୟତାମୂଳକ ନୁହେଁ। ବର୍ତ୍ତମାନ ପ୍ରାୟ ୬ ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ବେଳେ ଅଧିକ ଚାଷୀଙ୍କୁ ଏହି ବ୍ୟବସ୍ଥାରେ ସାମିଲ କରିବାକୁ ଉଦ୍ୟମ ଚାଲିଛି। ଭବିଷ୍ୟତରେ ଧାନ ବିକ୍ରି, ସାର ଓ ଅନ୍ୟାନ୍ୟ କୃଷି ସୁବିଧା ପାଇବାରେ ଏଗ୍ରିଷ୍ଟେକ୍ ID ଚାଷୀଙ୍କ ପାଇଁ ଉପକାରୀ ହେବ ବୋଲି ସରକାର ପକ୍ଷରୁ କୁହାଯାଇଛି।

