Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୟରେ ନାଗ ସାପକୁ କାମୁଡ଼ି ଫଣା ଛିଣ୍ଡାଇଦେଲେ ବ୍ୟକ୍ତି! ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅଧୀନ ପାକେଲପଡ଼ା ନିକଟ କର୍ମାପଡ଼ା ଅଞ୍ଚଳରେ ଏକ ଅଜବ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସାପ କାମୁଡ଼ିଲେ ସାଧାରଣତଃ ଲୋକେ ସାପଠାରୁ ଦୂରେଇ ଯାଆନ୍ତି। କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଭୟରେ ନାଗ ସାପକୁ ହାତରେ ଧରି ଦାନ୍ତରେ ତାହାର ଫଣାକୁ କାମୁଡ଼ି ଛିଣ୍ଡାଇ ଦେଇଥିବା ଜଣାପଡ଼ିଛି। କର୍ମାପଡ଼ାର ଧରମସିଙ୍ଗ ଖଡ଼ିଆ ରବିବାର ସନ୍ଧ୍ୟାରେ ନିଜ କ୍ଷେତକୁ ଯାଉଥିବା ସମୟରେ ହଠାତ୍ ତାଙ୍କ ଗୋଡ଼ ଏକ ନାଗ ସାପ ଉପରେ ପଡ଼ିଥିଲା। ସାପଟି ଫଣା ଟେକି ଛିଡ଼ା ହେବାରୁ ସେ ଭୟଭୀତ ହୋଇପଡ଼ିଥିଲେ।

ଧରମସିଙ୍ଗଙ୍କ କହିବା ଅନୁସାରେ, ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ ସାପ କାମୁଡ଼ିଲେ ପ୍ରତିବଦଳରେ ସାପକୁ କାମୁଡ଼ିଲେ ବିଷର ପ୍ରଭାବ ପଡ଼େ ନାହିଁ। ଏହି ଧାରଣାକୁ ବିଶ୍ୱାସ କରି ସେ ଭୟରେ ନାଗ ସାପଟିକୁ ଧରି ତାହାର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ଏଥିରେ ସାପଟି ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମରିଯାଇଥିଲା। ଘଟଣା ପରେ ଧରମସିଙ୍ଗ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରଭୁପାଦ ମିଶ୍ର ଓ କୈଳାଶ ପ୍ରଧାନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା କୁହାଯାଇଥିଲେ ମଧ୍ୟ ସତର୍କତାମୂଳକ ଭାବେ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି।

ବିଶେଷଜ୍ଞମାନେ କହିଛନ୍ତି, ସାପ କାମୁଡ଼ିଲେ ସାପକୁ ପ୍ରତିକାମୁଡ଼ ଦେଲେ ବିଷର ପ୍ରଭାବ ଦୂର ହୋଇଯାଏ ବୋଲି ରହିଥିବା ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତିକର ଏବଂ ଏଭଳି କରିବା ଅତ୍ୟନ୍ତ ବିପଜ୍ଜନକ। ବିଷଧର ସାପ କାମୁଡ଼ିଲେ ସାପକୁ ଧରିବା, କାମୁଡ଼ିବା କିମ୍ବା କୌଣସି ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ଆବଶ୍ୟକ। ଧରମସିଙ୍ଗଙ୍କ ଏହି ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରିଥିବାବେଳେ, ସାପ କାମୁଡ଼ାକୁ ନେଇ ସମାଜରେ ରହିଥିବା ଅନ୍ଧବିଶ୍ୱାସ କେତେ ବିପଜ୍ଜନକ ହୋଇପାରେ, ତାହା ମଧ୍ୟ ଏହି ଘଟଣା ଦର୍ଶାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories