‘ଦଳରେ ମୋର ଭାଲ୍ୟୁ ନାହିଁ’, ଜୟନାରାୟଣଙ୍କ ଏଭଳି ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା!
ଭୁବନେଶ୍ୱର: ବିଜେପି ବିଧାୟକ ତଥା ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ଏକ ବୟାନକୁ ନେଇ ରାଜ୍ୟ ରାଜନୀତିରେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ‘ଦଳରେ ମୋର ଭାଲ୍ୟୁ ନାହିଁ’ ବୋଲି ଜୟନାରାୟଣ କହିଥିବାରୁ ଦଳ ଭିତରେ ତାଙ୍କ ଭୂମିକାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ତାଙ୍କ ବୟାନରୁ ଦଳୀୟ କାର୍ଯ୍ୟଧାରାକୁ ନେଇ ତାଙ୍କ ମନରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କ ବୟାନର ପ୍ରକୃତ ପରିପ୍ରେକ୍ଷୀ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି।
ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ର ପୂର୍ବ ସରକାର ବିରୋଧରେ ବିଜେପିର ଅନେକ ଆନ୍ଦୋଳନ ଓ ରାଜନୈତିକ ଲଢ଼େଇର ନେତୃତ୍ୱ ନେଇଥିଲେ। କିନ୍ତୁ ରାଜ୍ୟରେ ବିଜେପି ସରକାର ଗଠନ ପରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ହେଉଥିଲା । ବିଭିନ୍ନ ସମୟରେ ସେ ଦଳୀୟ ନେତୃତ୍ୱ ଓ ଦଳର କାର୍ଯ୍ୟପ୍ରଣାଳୀକୁ ନେଇ ନିଜ ମତ ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କର କିଛି ମନ୍ତବ୍ୟ ରାଜ୍ୟ ବିଜେପିରେ ଚର୍ଚ୍ଚାର କାରଣ ହୋଇଥିଲା।
ସମ୍ବଲପୁର ରାଜନୀତିରେ ନିଜର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରଖୁଥିବା ଜୟନାରାୟଣଙ୍କ ସଦ୍ୟତମ ବୟାନ ଏବେ ଦଳୀୟ ରାଜନୀତିକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି । ଦଳୀୟ ବୈଠକ ଓ ରଣନୀତି ପ୍ରସ୍ତୁତିରେ ତାଙ୍କ ଭୂମିକା କେତେ ରହୁଛି ଏବଂ ସେ ନିଜେ ଦଳୀୟ ଫୋରମ୍ରୁ ଦୂରେଇ ରହୁଛନ୍ତି କି ନାହିଁ, ତାହାକୁ ନେଇ ଆଲୋଚନା ମଧ୍ୟ ଜୋର ଧରିଛି। ଜୟନାରାୟଣଙ୍କ ଏହି ବୟାନକୁ ବିଜେପିର ଶୀର୍ଷ ନେତୃତ୍ୱ କିପରି ଗ୍ରହଣ କରୁଛି ଏବଂ ଆଗକୁ ଦଳ ଭିତରେ ଏହାର କି ପ୍ରଭାବ ପଡ଼ିବ, ତାହା ଉପରେ ଏବେ ନଜର ରହିଛି।

