ଜବତ ହେବ ବୀମା ବିହୀନ ଗାଡ଼ି; ଇ-ଡିଟେକ୍ସନ୍ରେ କଡ଼ା ଯାଞ୍ଚ! ନିୟମ ଭାଙ୍ଗିଲେ ରଦ୍ଦ ହେବ ପଞ୍ଜୀକରଣ ପ୍ରମାଣପତ୍ର
ଭୁବନେଶ୍ୱର: ରାଜ୍ୟରେ ବୈଧ ବୀମା ନଥାଇ ଚଳାଚଳ କରୁଥିବା ଯାନବାହନ ବିରୋଧରେ ଏଣିକି କଡ଼ା ପଦକ୍ଷେପ ନେବ ପରିବହନ ବିଭାଗ। ରାଜ୍ୟର ବିଭିନ୍ନ ଟୋଲଗେଟ୍ରେ ଇ-ଡିଟେକ୍ସନ୍ ବ୍ୟବସ୍ଥା ମାଧ୍ୟମରେ ଯାନବାହନର ବୀମା ସହ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ। ବୀମା, ଫିଟନେସ୍ ଓ ପ୍ରଦୂଷଣ ପ୍ରମାଣପତ୍ର ଭଳି ବୈଧ ଦସ୍ତାବିଜ ନଥିଲେ ଇ-ଚାଲାଣ କଟାଯିବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରମାଣପତ୍ର ରଦ୍ଦ କରାଯିବା ସହ ଗାଡ଼ିକୁ ଜବତ କରାଯିବ।
ରାଜ୍ୟରେ ବହୁ ସଂଖ୍ୟକ ଯାନବାହନର ବୈଧ ବୀମା ନଥିବା ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦ୍ବେଗ ପ୍ରକାଶ କରିଛନ୍ତି। ନିୟମର କଡ଼ାକଡ଼ି ପାଳନ ସହ ବୀମାବିହୀନ ଗାଡ଼ି ଚଳାଚଳ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଟିଓ ସ୍ତରରେ ଲୋକଙ୍କୁ ସଚେତନ କରାଯିବା ସହ ଏନ୍ଫୋର୍ସମେଣ୍ଟ୍କୁ ମଧ୍ୟ ଜୋରଦାର କରାଯିବ।
ବିଭାଗୀୟ ତଥ୍ୟ ଅନୁସାରେ, ରାଜ୍ୟରେ ସର୍ବମୋଟ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ଟି ଯାନବାହନ ପଞ୍ଜୀକୃତ ରହିଛି। ସେଥିମଧ୍ୟରୁ ମାତ୍ର ୩୫ ଲକ୍ଷ ୬୮ ହଜାର ୩୧୮ଟି ଯାନର ବୈଧ ବୀମା ରହିଛି। ଅନ୍ୟପକ୍ଷରେ ୬୫ ଲକ୍ଷ ୭୩ ହଜାର ୬୩୩ଟି ଯାନର ବୈଧ ବୀମା ନଥିବା ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍ ରାଜ୍ୟର ପ୍ରାୟ ୬୫ ପ୍ରତିଶତ ଯାନ ବୀମାବିହୀନ। ଏହି ପରିସ୍ଥିତିକୁ ଗୁରୁତ୍ୱ ଦେଇ ଏଣିକି ଟୋଲଗେଟ୍ରେ ଇ-ଡିଟେକ୍ସନ୍ ଜରିଆରେ ଯାଞ୍ଚ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଧିକ କଡ଼ା କରାଯିବ।

