Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବଶୀଘ୍ର ଓଡ଼ିଶାରେ ନୂଆ ଲୋକାୟୁକ୍ତ! ନିଯୁକ୍ତି ପ୍ରକ୍ରିୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା, ବିରୋଧୀଙ୍କ ତୀବ୍ର ଟାର୍ଗେଟ୍

ଓଡ଼ିଶାରେ ଖୁବଶୀଘ୍ର ନୂଆ ଲୋକାୟୁକ୍ତ ନିଯୁକ୍ତ ହେବେ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ଲୋକାୟୁକ୍ତ ନିଯୁକ୍ତି ପାଇଁ ବୈଠକ ହୋଇସାରିଥିବା ବେଳେ ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ବ୍ୟବସ୍ଥାରେ ନିଷ୍ପତ୍ତି ନିଆଯାଏ। ପ୍ରଥମ ବୈଠକ ସରିଥିବାରୁ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି, ୨୪ ବର୍ଷ ଧରି କ୍ଷମତାରେ ଥିବା ସରକାର ଓ ବର୍ତ୍ତମାନର ସରକାରକୁ ତୁଳନା କରାଯିବା ଉଚିତ। ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଅଶୋକ ଦାସ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଅଢ଼େଇ ବର୍ଷ ହେବାକୁ ଯାଉଥିଲେ ମଧ୍ୟ ଯୋଜନା ବୋର୍ଡ ଗଠନ ହୋଇନାହିଁ। ଲୋକାୟୁକ୍ତ ନିଯୁକ୍ତି ଆହୁରି ଦୂରର କଥା ବୋଲି ସେ କହିବା ସହ, ଲୋକାୟୁକ୍ତ ନିଯୁକ୍ତ ହେଲେ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସତ୍ୟ ସାମ୍ନାକୁ ଆସିବ ବୋଲି ଅଭିଯୋଗ କରିଛନ୍ତି।

ସେହିପରି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟର ବିଭିନ୍ନ କମିଟିରେ ଅନେକ ପଦ ଖାଲି ପଡ଼ିଥିବା ଏବଂ ସମନ୍ୱୟ ଅଭାବରୁ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ୁନଥିବା ସେ ଅଭିଯୋଗ କରିଛନ୍ତି। ତେବେ ସରକାର ଖୁବଶୀଘ୍ର ନୂଆ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ବୟାନ ପରେ ଏହାକୁ ନେଇ ରାଜ୍ୟ ରାଜନୀତି ପୁଣିଥରେ ସରଗରମ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ