କିଏ ହେବେ ଓଡ଼ିଶାର ପରବର୍ତ୍ତୀ ପୋଲିସ ଡିଜିପି? ସୁପ୍ରିମକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
ଭୁବନେଶ୍ୱର: ଡିଜିପି ଖୁରାନିଆଙ୍କ ପରେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) କିଏ ହେବେ, ତାକୁ ନେଇ ଚର୍ଚ୍ଚା ଓ ବିବାଦ ଜାରି ରହିଛି। ଏନେଇ ଗୁରୁବାର ନୂଆଦିଲ୍ଲୀରେ ୟୁପିଏସସି ଚୟନ କମିଟିର ବୈଠକ ବସିବାକୁ ଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଏହି ମାମଲାର ଆଜି ଜରୁରୀ ଶୁଣାଣି ହେବାର ସମ୍ଭାବନା ରହିଛି।
ଗତ ସୋମବାର ୧୯୯୪ ବ୍ୟାଚ୍ର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ। ଏହାପରେ ନୂଆ ପୋଲିସ ମୁଖିଆ ଚୟନ ପ୍ରକ୍ରିୟା ଅଧିକ ଚର୍ଚ୍ଚାକୁ ଆସିଛି। ପୂର୍ବରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍.ପି. କୋଚେଙ୍କ ନାମ ଆଗରେ ଥିବା କୁହାଯାଉଥିଲା। ତେବେ ସୁଶାନ୍ତ ନାଥଙ୍କ ନାମ ବାଦ ପଡ଼ିବା ଏବଂ ସଞ୍ଜୀବ ପଣ୍ଡାଙ୍କ ନାମକୁ ଆଗକୁ ଆଣିବାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।
ଅନ୍ୟପଟେ ଗୁରୁବାର ୟୁପିଏସସି ଚୟନ କମିଟିର ବୈଠକ ପରେ ତିନିଜଣିଆ ପ୍ରସ୍ତାବିତ ଡିଜିପି ତାଲିକା ରାଜ୍ୟ ସରକାରଙ୍କୁ ପଠାଯିବ। ଏହି ତାଲିକାରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟର ନୂଆ ପୋଲିସ ମୁଖିଆ ଭାବେ ଚୟନ କରାଯିବ। ତେଣୁ ସୁପ୍ରିମକୋର୍ଟର ଆଜିର ଶୁଣାଣି ଏବଂ ୟୁପିଏସସି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

