ବିଶ୍ୱ ହାତୀ ଦିବସରେ ନନ୍ଦନକାନନରେ ଗଜରାଜଙ୍କୁ ସ୍ୱତନ୍ତ୍ର ସମ୍ମାନ, ମାହୁତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଆଜି ବିଶ୍ୱ ହାତୀ ଦିବସ। ହାତୀ ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ସଚେତନତାମୂଳକ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଚଳିତବର୍ଷର ଥିମ୍ ରହିଛି ‘Conserve, Educate, Inspire’। ଓଡ଼ିଶାରେ ୨୧୦୦ରୁ ଅଧିକ ହାତୀ ଥିବାରୁ ସେମାନଙ୍କ ସୁରକ୍ଷା ଓ ଆବାସସ୍ଥଳ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ନନ୍ଦନକାନନର ମୁଖ୍ୟ ଆକର୍ଷଣ ରହିଛି ‘Feeding Enrichment’ କାର୍ଯ୍ୟକ୍ରମ। ଏଥିରେ ହାତୀମାନଙ୍କୁ ଫଳ, ଗୁଡ଼, କଦଳୀ, ତରଭୁଜ ସମେତ ବିଭିନ୍ନ ପ୍ରିୟ ଖାଦ୍ୟ ଦିଆଯାଇ ସେମାନଙ୍କ ପ୍ରତି ସ୍ନେହ ଓ ସମ୍ମାନ ଜଣାଯାଉଛି। ପର୍ଯ୍ୟଟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ହାତୀଙ୍କୁ ଖାଦ୍ୟ ଦେବାର ସୁଯୋଗ ପାଉଛନ୍ତି। ଏହା ସହ ‘Felicitation of Mahouts’ କାର୍ଯ୍ୟକ୍ରମରେ ହାତୀଙ୍କ ଯତ୍ନ ନେଉଥିବା ମାହୁତମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଦିନରାତି ହାତୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଯତ୍ନରେ ନିୟୋଜିତ ମାହୁତମାନଙ୍କ ଭୂମିକାକୁ ଏହି ଅବସରରେ ସମ୍ମାନ ଦିଆଯାଉଛି।
ସେହିପରି ‘Keepers Talk’ ମାଧ୍ୟମରେ ଜୁ-କିପରମାନେ ହାତୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟ ଓ ବ୍ୟବହାର ସମ୍ପର୍କରେ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଉଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ‘On the Spot Quiz’ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି। ଏହାସହ ‘Save Elephant, Save Forest’ ବାର୍ତ୍ତା ନେଇ ‘Signature Campaign’ ଚାଲିଛି। ବିଶ୍ୱ ହାତୀ ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ହାତୀ ସଂରକ୍ଷଣ ସହ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଲୋକଙ୍କ ଦାୟିତ୍ୱବୋଧ ବଢ଼ାଇବ ବୋଲି ଆଶା କରାଯାଉଛି।

