ସ୍କୁଲ୍ ଶ୍ରେଣୀ ଗୃହରେ ପଶିଲା ବୁଲା କୁକୁର, ତୃତୀୟ ଶ୍ରେଣୀ ଛାତ୍ରଙ୍କ ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଲା
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି ଏକ ଚିନ୍ତାଜନକ ଖବର। ନୀଳଗିରି ସଦର ଥାନା ଅଧୀନ ରସାଳପୁର ଗାଁର ଭୀମପୁର ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ର ବୁଲା କୁକୁର ଆକ୍ରମଣର ଶିକାର ହୋଇଛନ୍ତି। ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢ଼ୁଥିବା ସମୟରେ ହଠାତ୍ ଏକ କୁକୁର ଭିତରକୁ ପଶି ତୃତୀୟ ଶ୍ରେଣୀର ଛାତ୍ର ପବିତ୍ର କୁମାର ରଣାଙ୍କୁ ଆକ୍ରମଣ କରିଥିଲା। କୁକୁର କାମୁଡ଼ିବାରେ ତାଙ୍କ ଆଙ୍ଗୁଠି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ରକ୍ତାକ୍ତ ଅବସ୍ଥାରେ ପବିତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଆହତ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଛାତ୍ରଙ୍କ ପରିବାର ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ସ୍କୁଲ୍ ପରିସରରେ ଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରେଣୀ ଗୃହ ଭିତରକୁ ବୁଲା କୁକୁର କିପରି ପଶିଲା ଏବଂ ଏଭଳି ଘଟଣା ରୋକିବା ପାଇଁ ବିଦ୍ୟାଳୟ ପକ୍ଷରୁ କ’ଣ ବ୍ୟବସ୍ଥା ଥିଲା, ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରି ଗ୍ରାମବାସୀ ସ୍କୁଲ୍ର ମୁଖ୍ୟ ଫାଟକରେ ତାଲା ପକାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

