Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓୟୁଏଟି ପକ୍ଷରୁ ଖୋଲିବ ୪ ନୂଆ କଲେଜ, ଚାଷୀଙ୍କ ସହ ଯୁବପିଢ଼ିଙ୍କୁ ମିଳିବ ଫାଇଦା

ଭୁବନେଶ୍ୱର: ଓଡ଼ିଶାରେ କୃଷି, ପଶୁପାଳନ ଓ ମତ୍ସ୍ୟଚାଷକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ନୂଆ ପଦକ୍ଷେପ ନେବାକୁ ଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଓୟୁଏଟି ପକ୍ଷରୁ ୪ଟି ନୂଆ କଲେଜ ଖୋଲିବାକୁ ଯୋଜନା ହୋଇଛି। ଏଥିରେ ୨ଟି କୃଷି ମହାବିଦ୍ୟାଳୟ, ଗୋଟିଏ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଏବଂ ଗୋଟିଏ ମତ୍ସ୍ୟ ମହାବିଦ୍ୟାଳୟ ରହିବ। ଏହି ନୂଆ କଲେଜଗୁଡ଼ିକ ଖୋଲିବା ଦ୍ୱାରା କୃଷି ଓ ଏହା ସହ ଜଡ଼ିତ ବିଷୟରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ମିଳିବ।

ସେଥିମଧ୍ୟରୁ ମୟୂରଭଞ୍ଜରେ ୬୦ଟି ସିଟ୍‌ ବିଶିଷ୍ଟ ଏକ ନୂଆ କୃଷି ମହାବିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ କରିବା ପାଇଁ ନାମଲେଖା ଓ ଶିକ୍ଷକ-ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଡିନ୍‌, ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସମେତ ଅନ୍ୟ କର୍ମଚାରୀ ନିଯୁକ୍ତ ହେବେ ବୋଲି ଓୟୁଏଟି କୁଳସଚିବ ପ୍ରତିଭା ଦୋରା ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁର ଜିଲ୍ଲା ଚିପିଲିମା ନିକଟ କଳାମାଟି ଗାଁରେ ଚଳିତବର୍ଷରୁ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଖୋଲିବାକୁ ଯୋଜନା ରହିଛି।

କଲେଜର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ଚିପିଲିମାରେ ଥିବା ଗୋଶାଳାରେ ଅସ୍ଥାୟୀ ଭାବେ ପାଠପଢ଼ା ଚାଲିବ। ଏହି କଲେଜ ପାଇଁ ଭାରତୀୟ ପ୍ରାଣୀ ଚିକିତ୍ସା ପରିଷଦର ଅନୁମତି ଲୋଡ଼ାଯାଇଛି। ଅନୁମତି ମିଳିବା ପରେ ଚଳିତବର୍ଷରୁ ପାଠପଢ଼ା ଆରମ୍ଭ ହେବ ଏବଂ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆଗକୁ ବଢ଼ିବ। ଓୟୁଏଟିର ଏହି ବିସ୍ତାର ଦ୍ୱାରା ରାଜ୍ୟରେ କୃଷି, ପଶୁପାଳନ ଓ ମତ୍ସ୍ୟଚାଷ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବା ସହ ଚାଷୀଙ୍କୁ ନୂଆ ପ୍ରଯୁକ୍ତି ଓ ବୈଜ୍ଞାନିକ ପଦ୍ଧତିର ଲାଭ ପହଞ୍ଚାଇବାରେ ସହାୟତା ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories