ଏଗ୍ରିଷ୍ଟାକ୍ ଆଇଡି କୁ ବିରୋଧ: ଜମନକିରା ବ୍ଲକର ୩ଟି ଲ୍ୟାମ୍ପସରେ ତାଲା, ଚାଷୀଙ୍କ ୭ ଦଫା ଦାବି ସହ ୧୭ରୁ ବିରାଟ ଆନ୍ଦୋଳନ ଚେତାବନୀ
ଜମନକିରା : ରାଜ୍ୟରେ ଧାନ ବିକ୍ରି ପଞ୍ଜିକରଣ ପାଇଁ ସରକାରଙ୍କ ଦ୍ୱାରା ‘ଏଗ୍ରିଷ୍ଟାକ୍ ଆଇଡି’ ବାଧ୍ୟତାମୂଳକ କରାଯିବା ଏବଂ ସାର ଯୋଗାଣରେ ଅସୁବିଧାକୁ ନେଇ ଚାଷୀ ମହଲରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି। ଏହାର ବିରୋଧରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି, ଫାଶୀମାଲ ଏବଂ ଭୋଜପୁର ଆଦି ତିନୋଟି ଯାକ ଲ୍ୟାମ୍ପସ (LAMPS)ରେ ଆଜି ଗୁରୁବାର ଦିନ ଚାଷୀ ସଂଗଠନ ପକ୍ଷରୁ ତାଲା ପକାଇ ପ୍ରତିବାଦ କରାଯାଇଛି। ଭୋଜପୁର ଲ୍ୟାମ୍ପସ ଅଫିସରେ ତାଲା ମାରିବା ସହ ସେମାନଙ୍କର ୭ ଦଫା ଦାବିପତ୍ର ଉପସ୍ଥାପନ କରିଛନ୍ତି। ଚାଷୀଙ୍କ ୭ ଦଫା ମୁଖ୍ୟ ଦାବି ଗୁଡିକ ହେଲା, ପ୍ରତ୍ୟେକ ଚାଷୀଙ୍କ ନାମ ରଜିଷ୍ଟ୍ରେସନ: ପ୍ରତ୍ୟେକ ପ୍ରକୃତ ଚାଷୀଙ୍କ ନାମ ବିନା ଅସୁବିଧାରେ ରଜିଷ୍ଟ୍ରେସନ କରାଯାଉ। ପୂର୍ବବର୍ଷ ଭଳି ଟୋକନ୍ ବ୍ୟବସ୍ଥା: ୨୦୨୪-୨୫ ବର୍ଷରେ ଯେଉଁଭଳି ଚାଷୀଙ୍କ ନାମ ରଜିଷ୍ଟ୍ରେସନ ଓ ଟୋକନ୍ ମିଳୁଥିଲା, ଚଳିତ ବର୍ଷ ମଧ୍ୟ ସେହିପରି ସହଜ ନିୟମରେ ଟୋକନ୍ ମିଳିବାର ବ୍ୟବସ୍ଥା କରାଯାଉ। ଚଳିତ ବର୍ଷ ଏଗ୍ରିଷ୍ଟାକ୍ ବନ୍ଦ: ଚଳିତ ବର୍ଷ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ନିୟମକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ସାର ଯୋଗାଣ: ସମସ୍ତ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଆବଶ୍ୟକୀୟ ସାର ମିଳିବାର ସୁବ୍ୟବସ୍ଥା କରାଯାଉ। ଗୋଦାମ ଗୃହ ଓ ଅତିରିକ୍ତ ଷ୍ଟାଫ୍: ସାର ରଖିବା ପାଇଁ ଗୋଦାମ ଗୃହ ନିର୍ମାଣ ସହ କାର୍ଯ୍ୟ ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଫ୍ ଯୋଗାଇ ଦିଆଯାଉ। ସ୍ଥାନୀୟ ଲ୍ୟାମ୍ପସରେ ରଜିଷ୍ଟ୍ରେସନ: ଆମ ଅଞ୍ଚଳର ଚାଷୀମାନଙ୍କର ଭୋଜପୁର ଲ୍ୟାମ୍ପସ ଅଫିସରେ ହିଁ ସହଜରେ ରଜିଷ୍ଟ୍ରେସନ କରାଯାଉ। ଅସୁବିଧାର ସ୍ଥାୟୀ ସମାଧାନ: ଆଖି ସ୍କାନ୍ ଏବଂ ଜମି ପଟା ଜନିତ ସମସ୍ୟାର ତୁରନ୍ତ ସରଳୀକରଣ କରାଯାଉ। ଲ୍ୟାମ୍ପସ ଗୁଡ଼ିକରେ ପଞ୍ଜିକରଣ ହେଉଥିଲେ ହେଁ, ମିଳୁଥିବା ରସିଦରେ “ଆଗାମୀ ସମୟରେ ଏଗ୍ରିଷ୍ଟାକ୍ ଆଇଡି କରିବା ବାଧ୍ୟତାମୂଳକ” ବୋଲି ଉଲ୍ଲେଖ ରହୁଥିବାରୁ ଚାଷୀଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ଏଗ୍ରିଷ୍ଟାକ୍ ଆଇଡି ନିୟମକୁ ସମ୍ପୂର୍ଣ୍ଣ କୋହଳ ନକଲେ, ଆସନ୍ତା ୧୭ ତାରିଖରୁ ଜିଲ୍ଲାବ୍ୟାପୀ ବିରାଟ ଆନ୍ଦୋଳନ କରାଯିବ ବୋଲି ଭୋଜପୁର, ଫାଶୀମାଲ ଓ କୁଲୁଣ୍ଡିର ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି।
ଏ ନେଇ ଫାଶୀମାଲ, କୁଲୁଣ୍ଡୀ ଏଵଂ ଭୋଜପୂର ପ୍ରମୁଖ ତିନୋଟି ଲ୍ୟାମ୍ପସ କର୍ତ୍ତୃପକ୍ଷ ପଦାରବିନ୍ଦ ମହାପାତ୍ର, ଡେଭିଡ୍ ପଟେଲ ଏବଂ ହେମନ୍ତ ଭୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଉପର ମହଲରୁ ଆମକୁ ଯେପରି ନିର୍ଦ୍ଦେଶ ଆସିବ, ଆମେ ସେହିପରି କାର୍ଯ୍ୟ କରିବୁ। ଚାଷୀଙ୍କ ଦାବି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଥିଲେ।


