Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରାଫିକ୍ କଟକଣା ମାନିଲେନି, ମହିଳା କନଷ୍ଟେବଳଙ୍କୁ ଚାପୁଡ଼ା! ନିଜକୁ ରାଷ୍ଟ୍ରୀୟ ଦଳର ନେତା କହି ଯୁବକଙ୍କ ହଙ୍ଗାମା

ବ୍ରହ୍ମପୁର: ଗୁରୁବାର ଅପରାହ୍ନରେ ଗେଟ୍ ବଜାର ଓଭରବ୍ରିଜ୍ ନିର୍ମାଣ ଯୋଗୁଁ ଲାଗୁ ହୋଇଥିବା ଟ୍ରାଫିକ୍ କଟକଣାକୁ ନେଇ ଜଣେ ଟ୍ରାଫିକ୍ କର୍ମଚାରୀଙ୍କ ସହ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା। ଅଭିଯୋଗ ଅନୁସାରେ, ବିଶାଲ ଛକରୁ ଗେଟ୍ ବଜାର ଆଡ଼କୁ ଯିବାକୁ ଏକ କାର ଚେଷ୍ଟା କରିବାରୁ ଡ୍ୟୁଟିରେ ଥିବା ଟ୍ରାଫିକ୍ କନଷ୍ଟେବଳ ଗାଡ଼ିକୁ ଅଟକାଇଥିଲେ। ଏହାପରେ କାରରୁ ଓହ୍ଲାଇଥିବା ଜଣେ ଯୁବକ ପ୍ରଥମେ ନିଜକୁ ଫ୍ଲାଏଓଭର ନିର୍ମାଣ କାମ ସହ ଜଡ଼ିତ କର୍ମଚାରୀ ଏବଂ ପରେ ଏକ ରାଷ୍ଟ୍ରୀୟ ଦଳର ପଦାଧିକାରୀ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି।

ଟ୍ରାଫିକ୍ ନିୟମ ଅନୁସାରେ ଅନ୍ୟ ରାସ୍ତା ଦେଇ ଯିବାକୁ କୁହାଯିବା ପରେ ଯୁବକ ଜଣକ ଉତ୍ତେଜିତ ହୋଇ ଟ୍ରାଫିକ୍ କର୍ମଚାରୀଙ୍କୁ ଧକ୍କା ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ଦେଖି ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ଘଟଣାସ୍ଥଳକୁ ଆସି ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ମଧ୍ୟ ଯୁବକ ଚାପୁଡ଼ା ମାରିଥିବା ଅଭିଯୋଗ ରହିଛି। ପ୍ରାୟ ୧୦ ମିନିଟ୍ ଧରି ଘଟଣାସ୍ଥଳରେ ହଙ୍ଗାମା ଚାଲିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘଟଣା ପରେ ମହିଳା ଟ୍ରାଫିକ୍ କନଷ୍ଟେବଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ କାର୍ ଚାଳକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ତେବେ ଅଭିଯୁକ୍ତ ଯୁବକଙ୍କ ରାଜନୈତିକ ପରିଚୟ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକାରିକ ଭାବେ କୌଣସି ସ୍ପଷ୍ଟତା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories