ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଜପୁର (ରେଙ୍ଗାଲବେଡ଼ା)ରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ଭୋଜପୁର), ରେଙ୍ଗାଲବେଡ଼ା ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ଜାତୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚିତ୍ତରଞ୍ଜନ ଶର୍ମା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅର୍ଜୁନଲାଲ ଗୁପ୍ତା ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସଂଗୀତା କିସାନ ଉପସ୍ଥିତ ଥିଲେ। ଅତିଥିମାନେ ବିଦ୍ୟାଳୟର ମାଧ୍ୟମିକ ଏବଂ ପ୍ରାଥମିକ ବିଭାଗରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅତିଥିମାନେ ଉଦ୍ବୋଧନ ଦେଇ କହିଥିଲେ ଯେ, “ସ୍ୱାଧୀନତା ଆମକୁ ଅନେକ ବଳିଦାନ ପରେ ମିଳିଛି। ଛାତ୍ରଛାତ୍ରୀମାନେ ହିଁ ଦେଶର ଭବିଷ୍ୟତ। ପ୍ରତ୍ୟେକ ଶିଶୁ ଭଲ ମଣିଷ ତଥା ଜଣେ ଆଦର୍ଶ ନାଗରିକ ହୋଇ ଦେଶର ପ୍ରଗତି ଓ ବିକାଶରେ ସହାୟକ ହେବା ଉଚିତ।” ଏଥିସହିତ ‘ବନ୍ଦେ ମାତରମ୍’ର ଗଭୀର ମହତ୍ତ୍ୱ, ତ୍ୟାଗ ଓ ଦେଶପ୍ରେମର ସାରମର୍ମ ଉପରେ ସେମାନେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉପାସନା ସ୍ୱାଇଁ ସ୍ୱାଧୀନତା ଦିବସର ମହନୀୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ୧୯୪୭ ମସିହାର ସ୍ୱାଧୀନତା ସଂଗ୍ରାମର ଇତିହାସ, ଯୁବଶକ୍ତିର ଦାୟିତ୍ୱବୋଧ ଏବଂ ଏକ ସମୃଦ୍ଧ ତଥା ‘ବିକଶିତ ଭାରତ’ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଉତ୍ସାହିତ କରିଥିଲେ।
ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଚାରୁଲତା ମାଝୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ସହକାରୀ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

