Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂସର ଓ ଦୁଧିଆନାଲି ରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ

ଜମନକିରା : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ କଂସର ଏସଏସଡି ଉଚ୍ଚ ବିଦ୍ୟାଳୟ ଓ ଦୁଧୁଆନାଲି ବାଳିକା ବିଦ୍ୟାଳୟ ପରିସରରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାର (SRHR) ଓ କିଶୋରୀ ସ୍ୱାସ୍ଥ୍ୟ ପାଇଁ ପୋଷଣ ସମ୍ପର୍କିତ ତିନୋଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କିଶୋର-କିଶୋରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା, ଶରୀର ସମ୍ପର୍କରେ ସଠିକ୍ ଜ୍ଞାନ, ସୁରକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉଭୟ ବିଷୟ ଉପରେ ଜିଲ୍ଲା ତାଲିମଦାତା ତଥା ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ତାଲିମ ପ୍ରଦାନ କରିଥିଲେ। ସ୍ୱେଚ୍ଛାସେବୀ ସଂଗଠନ ସିଡିର ପ୍ରକଳ୍ପ ସଂଯୋଜକ ବରୁଣ କୁମାର କୁଅଁରଙ୍କ ସମେତ ତପନ ପ୍ରଧାନ, ସରିତା କୁଅଁର ଓ ଇନ୍ଦ୍ରାଣୀ ନାଏକ ତାଲିମ ଶିବିର ଗୁଡ଼ିକର ପରିଚାଳନା କରିଥିଲେ। ତାଲିମ ଅବସରରେ ଡା. ଷଡ଼ଙ୍ଗୀ କହିଥିଲେ ଯେ, ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅଧିକାର କେବଳ ସ୍ୱାସ୍ଥ୍ୟର ବିଷୟ ନୁହେଁ ବରଂ ଏହା ମାନବାଧିକାର, ମର୍ଯ୍ୟାଦା, ସମାନତା ଓ ସୁରକ୍ଷା ସହିତ ଜଡ଼ିତ। ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ସୂଚନା ପାଇବା ଏବଂ ନିରାପଦ ସ୍ୱାସ୍ଥ୍ୟସେବା ଲାଭ କରିବାର ଅଧିକାର ରଖନ୍ତି। ସେ ଯୌନ ସ୍ୱାସ୍ଥ୍ୟ, ଯୌନ ଅଧିକାର, ପ୍ରଜନନ ସ୍ୱାସ୍ଥ୍ୟ ଓ ପ୍ରଜନନ ଅଧିକାର—SRHRର ଏହି ଚାରିଟି ପ୍ରମୁଖ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଯୌନ ସ୍ୱାସ୍ଥ୍ୟ କେବଳ ରୋଗମୁକ୍ତ ରହିବା ନୁହେଁ, ବରଂ ଶାରୀରିକ, ମାନସିକ, ଭାବନାତ୍ମକ ଓ ସାମାଜିକ ସୁସ୍ଥତା ସହିତ ଜଡ଼ିତ ବୋଲି ସେ ବୁଝାଇଥିଲେ। ତାଲିମରେ ‘ସମ୍ମତି’ (Consent) ର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। କୌଣସି ପ୍ରକାରର ଯୌନ ଆଚରଣ ବଳପୂର୍ବକ, ଭୟ ଦେଇ କିମ୍ବା ଚାପ ପକାଇ କରାଯିବା ଉଚିତ ନୁହେଁ ବୋଲି ତାଲିମାର୍ଥୀମାନଙ୍କୁ ସଚେତନ କରାଯାଇଥିଲା। ନିଜ ଶରୀରର ସୀମା, ବ୍ୟକ୍ତିଗତ ସୁରକ୍ଷା ଓ ଅନ୍ୟର ସମ୍ମତିକୁ ସମ୍ମାନ କରିବା ସୁସ୍ଥ ସମାଜର ମୂଳ ଆଧାର ବୋଲି କୁହାଯାଇଥିଲା। କିଶୋର-କିଶୋରୀଙ୍କ ପାଇଁ ବୟସ ଓ ବିକାଶ ଅନୁଯାୟୀ ବୈଜ୍ଞାନିକ ଓ ସରଳ ଯୌନ ଶିକ୍ଷାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ନିଜ ଶରୀର ସମ୍ପର୍କରେ ଜ୍ଞାନ, ବ୍ୟକ୍ତିଗତ ସୁରକ୍ଷା, ସୁରକ୍ଷିତ ଓ ଅସୁରକ୍ଷିତ ସ୍ପର୍ଶ, ସମ୍ମତି, ଲିଙ୍ଗ ସମାନତା, ସମ୍ମାନଜନକ ସମ୍ପର୍କ, ଯୌନ ହିଂସାରୁ ସୁରକ୍ଷା ଏବଂ ଅନଲାଇନ୍ ସୁରକ୍ଷା ଭଳି ବିଷୟ ଏଥିରେ ସାମିଲ ହୋଇଥିଲା। ବିଶେଷକରି କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପରିପ୍ରେକ୍ଷିତରେ ମାସିକ ଋତୁସ୍ରାବ ସ୍ୱଚ୍ଛତା, ପୋଷଣ, ରକ୍ତହୀନତା ପ୍ରତିରୋଧ, ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଆବଶ୍ୟକ ସମୟରେ ସ୍ୱାସ୍ଥ୍ୟସେବା ନେବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ବାଳ୍ୟବିବାହ ଓ ଶିଶୁ ସୁରକ୍ଷା ମଧ୍ୟ ତାଲିମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଶିଶୁ ଓ କିଶୋର-କିଶୋରୀଙ୍କୁ ଯୌନ ଶୋଷଣ, ହିଂସା ଓ ଅନଲାଇନ୍ ଶୋଷଣରୁ ସୁରକ୍ଷିତ ରଖିବା ପାଇଁ ସମୟୋପଯୋଗୀ ସୂଚନା ଓ ସଚେତନତା ଦେବା ଆବଶ୍ୟକ ବୋଲି ତାଲିମରେ କୁହାଯାଇଥିଲା। SRHR ସହିତ ଲିଙ୍ଗ ସମାନତାର ଗଭୀର ସମ୍ପର୍କ ରହିଛି ବୋଲି ଡା. ଷଡ଼ଙ୍ଗୀ ଉଲ୍ଲେଖ କରିଥିଲେ। ମହିଳା ଓ କିଶୋରୀମାନେ ନିଜ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଓ ଭବିଷ୍ୟତ ସମ୍ପର୍କରେ ସୂଚିତ ନିଷ୍ପତ୍ତି ନେବାର ସୁଯୋଗ ପାଇଲେ ହିଁ ପ୍ରକୃତ ଲିଙ୍ଗ ସମାନତା ସମ୍ଭବ ବୋଲି ସେ କହିଥିଲେ। ତାଲିମର ଶେଷରେ କୁହାଯାଇଥିଲା ଯେ, SRHR କେବଳ ସ୍ୱାସ୍ଥ୍ୟସେବାର ପ୍ରଶ୍ନ ନୁହେଁ; ଏହା ମାନବ ମର୍ଯ୍ୟାଦା, ସ୍ୱାଧୀନତା, ସମାନତା, ସୁରକ୍ଷା ଓ ନ୍ୟାୟର ପ୍ରଶ୍ନ। କିଶୋର-କିଶୋରୀଙ୍କୁ ସଠିକ୍ ସୂଚନା ଓ ସୁରକ୍ଷିତ ପରିବେଶ ଦେଇ ସଶକ୍ତ କରିବା ଦ୍ୱାରା ଏକ ସଚେତନ, ସୁସ୍ଥ ଓ ଦାୟିତ୍ୱଶୀଳ ସମାଜ ଗଠନ କରାଯାଇପାରିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories