ଜମନକିରାରେ ମନ୍ତ୍ରୀଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା: ଘରୋଇ ବସ୍ରେ ଛାତ୍ରଛାତ୍ରୀଙ୍କୁ ବୋହିବାରେ ଅବ୍ୟବସ୍ଥା, ବର୍ଷାରେ ଭିଜି ପିଲାଙ୍କ ଦୁର୍ଦ୍ଦଶା, ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରେ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଭିଡ଼ ଦେଖାଇବା ପାଇଁ ସ୍କୁଲ-କଲେଜ ପିଲାଙ୍କୁ ଘରୋଇ ବସ୍ରେ ଅସୁରକ୍ଷିତ ଭାବେ ବୋହିବା ଏବଂ ପ୍ରବଳ ବର୍ଷାରେ ଭିଜାଇ ଗାଁ ଚାରିପଟେ ଶୋଭାଯାତ୍ରା କରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଆଜି ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଷଣ୍ଢପଥର କଲେଜ, ଷଣ୍ଢପଥର ହାଇସ୍କୁଲ, ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଜମନକିରା +୨ ଓ +୩ କଲେଜର ଶତାଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ଅଭିଯୋଗ ହୋଇଛି ଯେ, କାର୍ଯ୍ୟକ୍ରମରେ ପିଲାମାନଙ୍କ ଉପସ୍ଥିତି ବାଧ୍ୟତାମୂଳକ କରିବା ପାଇଁ ବ୍ଲକ ପ୍ରଶାସନିକ ସ୍ତରରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ତାଗିଦ୍ କରାଯାଇଥିଲା। ଫଳରେ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ଏହି ଯାତ୍ରାରେ ଯୋଗ ଦେବାକୁ ପଠାଇଥିଲେ।
ଏହି କ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଆଣିବା ଓ ନେବା ପାଇଁ ଘରୋଇ ବସ୍ ନିୟୋଜିତ କରାଯାଇଥିଲା। ବସ୍ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ପିଲାଙ୍କୁ ଠୁସାଠୁସି କରି ନିଆଯାଇ ଥିବାରୁ ଯାତ୍ରା ସମୟରେ ଛାତ୍ରଛାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିବା ପ୍ରକାଶ କରିଛନ୍ତି। ଏହାସହ ଶୋଭାଯାତ୍ରା ଚାଲିଥିବା ବେଳେ ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ପିଲାମାନେ ବର୍ଷାରେ ଓଦା-ସରସର ହୋଇ ରାସ୍ତାରେ ଚାଲିବାକୁ ବାଧ୍ୟ ହୋଇଥିଲେ। କେତେକ ଛାତ୍ରୀ ଛାତ୍ର ଶୋଭାଯାତ୍ରା କୁ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଥିବା ସତ୍ତ୍ୱେ ସେମାନଙ୍କୁ ବାଧ୍ୟ କରାଯାଇଥିଲା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ।
ପ୍ରଶାସନିକ ଚାପ ପକାଇ ଏବଂ କୌଣସି ସୁରକ୍ଷା ବ୍ୟବସ୍ଥା ନକରି ପ୍ରତିକୂଳ ପାଗରେ ଛାତ୍ରଛାତ୍ରୀଙ୍କୁ ଏଭଳି ହଇରାଣ କରି ବ୍ୟବହାର କରାଯିବା ଘଟଣାକୁ ନେଇ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ପିଲାମାନଙ୍କର କିଛି ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଅଭିଭାବକ ମହଲରେ ଦାବି ହେଉଛି।

