କୁଚିଣ୍ଡା-ଭୋଜପୁର ଏନଏଚ ୨୦୦ ରେ ‘ମରଣଯନ୍ତା’ ସାଜିଛି ହମ୍ପସ୍: ତବଲାକଟା ଗ୍ରାମ ଓ ଅବ୍ୟବହୃତ ଟୋଲ୍ଗେଟ୍ରେ ବେଆଇନ ସ୍ପିଡ୍ ବ୍ରେକର୍, ପ୍ରତିଦିନ ଘଟୁଛି ଦୁର୍ଘଟଣା
ଜମନକିରା : ଜାତୀୟ ରାଜପଥ ଉପରେ ହମ୍ପସ୍ ବା ସ୍ପିଡ୍ ବ୍ରେକର୍ ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (MoRTH)ର କଡ଼ା ନିଷେଧାଦେଶ ଥିଲେ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଜମନକିରା ବ୍ଲକ ଦେଇ ଯାଇଥିବା କୁଚିଣ୍ଡା-ଭୋଜପୁର ଜାତୀୟ ରାଜପଥ-୨୦୦ ରେ ଥିବା ଅଣବୈଜ୍ଞାନିକ ହମ୍ପସ୍ ଏବେ ଯାତ୍ରୀ ଓ ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିଛି।
ତବଲାକଟା ନିକଟରେ ଦୁଇଟି ବିପଜ୍ଜନକ ହମ୍ପସ୍
କୁଚିଣ୍ଡା ଠାରୁ ଭୋଜପୁର ସଂଯୋଗ କରୁଥିବା ଏହି ମୁଖ୍ୟ ରାଜପଥର ତବଲାକଟା ଗ୍ରାମ ନିକଟରେ ଦୁଇଟି ବଡ଼ ବଡ଼ ଅସ୍ୱାଭାବିକ ଉଚ୍ଚତା ବିଶିଷ୍ଟ ହମ୍ପସ୍ ନିର୍ମାଣ କରାଯାଇଛି। ଦ୍ରୁତ ଗତିରେ ଯାଉଥିବା ଯାନବାହନ ଗୁଡ଼ିକ ଏହି ହମ୍ପସ୍ ସମ୍ପର୍କରେ ପୂର୍ବରୁ ସୂଚନା ନ ପାଇ ହଠାତ୍ ବ୍ରେକ୍ ମାରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଏଠାରେ ଦିନ ପ୍ରତିଦିନ ବାଇକ୍ ଆରୋହୀ ଛିଟିକି ପଡ଼ି ଆହତ ହେବା ସହ ଚାରିଚକିଆ ଯାନଗୁଡ଼ିକ ମଧ୍ୟ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଛି। କାର ଗୁଡ଼ିକର ତେଲ ଚାମ୍ବର ମଧ୍ୟ ଫାଟି ଯାଇଥିବା ଅଭିଯୋଗ ହୋଇଛି। ରାତ୍ରି ସମୟରେ କୌଣସି ଆଲୋକୀକରଣ କିମ୍ବା ରେଡିୟମ୍ ସାଇନେଜ୍ ନଥିବାରୁ ବିପଦ ଆହୁରି ବଢ଼ି ଯାଉଛି। ଏହା ବ୍ୟତୀତ ଉକ୍ତ ରାସ୍ତାରେ ଦୀର୍ଘ ଦିନରୁ ଅବ୍ୟବହାର୍ଯ୍ୟ ହୋଇ ପଡ଼ିରହିଥିବା ଏକ ଟୋଲ୍ ଗେଟ୍ ନିକଟରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟାରେ ହମ୍ପସ୍ ରହିଛି। ଟୋଲ୍ ଗେଟ୍ କାର୍ଯ୍ୟକ୍ଷମ ନଥିଲେ ମଧ୍ୟ ସେଠାରେ ଥିବା ଧାଡ଼ି ଧାଡ଼ି ସ୍ପିଡ୍ ବ୍ରେକର୍ ଯୋଗୁଁ ଯାନବାହନ ଚଳାଚଳ ଗମ୍ଭୀର ଭାବେ ବାଧାପ୍ରାପ୍ତ ହେଉଛି ଏବଂ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ଏହି ଅଦରକାରୀ ହମ୍ପସ୍ ଗୁଡ଼ିକୁ ତୁରନ୍ତ ସଫା କରିବା ପାଇଁ ସ୍ଥାନୀୟ ଲୋକେ ଓ ଚାଳକମାନେ ଦାବି କରିଆସୁଛନ୍ତି।ଭାରତୀୟ ସଡ଼କ କଂଗ୍ରେସ (IRC) ଏବଂ NHAI ନିୟମ ଅନୁସାରେ, ହାଇସ୍ପିଡ୍ ଜାତୀୟ ରାଜପଥର ମୁଖ୍ୟ କ୍ୟାରିଜ୍ୱେ (Carriageway) ଉପରେ ଏଭଳି ସ୍ପିଡ୍ ବ୍ରେକର୍ ବା ହମ୍ପସ୍ ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ, ରାଜପଥରେ ଥିବା ସମସ୍ତ ଅଣବୈଜ୍ଞାନିକ ତଥା ବେଆଇନ ହମ୍ପସ୍କୁ ଚିହ୍ନଟ କରି ସ୍ଥାନୀୟ ପ୍ରଶାସନ ଓ ପୂର୍ତ୍ତ ବିଭାଗ ତୁରନ୍ତ ଉଚ୍ଛେଦ କରିବେ। ଏଭଳି ଅଣବୈଜ୍ଞାନିକ ବା ଚିହ୍ନଟହୀନ ହମ୍ପସ୍ ଯୋଗୁଁ ଯଦି କୌଣସି ଧନଜୀବନ ହାନି ଘଟେ, ତେବେ ତାହା ପ୍ରଶାସନିକ ଅବହେଳା ଭାବେ ବିଚାର କରାଯିବ। କୌଣସି ବଡ଼ ଧରଣର ଅଘଟଣ ବା ପ୍ରାଣହାନି ଘଟିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ (NHAI), ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ଜମନକିରା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ତବଲାକଟା ନିକଟରେ ଥିବା ବିପଜ୍ଜନକ ହମ୍ପସ୍ ଏବଂ ଅବ୍ୟବହୃତ ଟୋଲ୍ ଗେଟ୍ରେ ଥିବା ଅନାବଶ୍ୟକ ହମ୍ପସ୍ ଗୁଡ଼ିକ କୁ ହଟାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରୁ ଜୋର୍ଦାର ଦାବି ହୋଇଛି।

