ପୁଅର ଶେଷକୃତ୍ୟ ପରେ ମା’ଙ୍କ ମୃତ୍ୟୁ! ମା’-ପୁଅଙ୍କ ଦୁଃଖଦ ମୃତ୍ୟୁରେ କେନ୍ଦୁଝରରେ ଶୋକର ଛାୟା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପୁଅର ମୃତ୍ୟୁର ଦୁଃଖ ସହିନପାରି ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତକ ହେଲେ ଦାମୋଦର ମହାକୁଡ଼ ଓ ତାଙ୍କ ମା’ ମରୁଆ ମହାକୁଡ଼। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଦାମୋଦର କିଛିଦିନ ଧରି ଅସୁସ୍ଥ ଥିଲେ। ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝରରୁ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ମୃତଦେହ ଗାଁକୁ ଆଣି ଶବ ସତ୍କାର କରାଯାଇଥିଲା। ସତ୍କାର କାର୍ଯ୍ୟ ଶେଷ ହେବା ପରେ ଆତ୍ମୀୟମାନେ ମରୁଆଙ୍କୁ ଗାଧୋଇବା ପାଇଁ ଡାକିଥିଲେ।
ପୁଅର ମୃତ୍ୟୁରେ ଗଭୀର ଦୁଃଖରେ ଥିବା ମରୁଆ କାନ୍ଦି କାନ୍ଦି ହଠାତ୍ ବେହୋସ ହୋଇଯାଇଥିଲେ। ଆତ୍ମୀୟମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିବା ବେଳେ ସେ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡ଼ିଥିଲା। ପ୍ରାଥମିକ ଭାବେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମା’-ପୁଅଙ୍କ ଏହି ଦୁଃଖଦ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

