Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ପିଏଫ୍ ମହାଦୁର୍ନୀତି: କିରାଣୀ ଫେରାର, ଉଭୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସିଡିଏମ୍ଓଙ୍କ ଘନ ଘନ ଜେରା

ଜମନକିରା : ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ହଡ଼ପକୁ ନେଇ ଏକ ବଡ଼ ଧରଣର ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ବାମରା ବ୍ଲକର ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର—ଏହି ଦୁଇଟିଯାକ କେନ୍ଦ୍ରର ଦାୟିତ୍ୱରେ ଥିବା କିରାଣୀ ଇମତିଆଜ୍ ଅଲୀ ପ୍ରାୟ ୨ କୋଟି ୧୨ ଲକ୍ଷ ଟଙ୍କାର ପିଏଫ୍ ଅର୍ଥ ହେରଫେର କରିଥିବା ନେଇ ଅଡିଟ୍ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ଘଟଣା ସାମ୍ନାକୁ ଆସିବା ପରଠାରୁ ଅଭିଯୁକ୍ତ କିରାଣୀ ଫେରାର ଥିବା ବେଳେ ଏହି ମାମଲାରେ ଏବେ ପ୍ରଶାସନିକ ତନାଘନା ତୀବ୍ରତର ହୋଇଛି। ଉଭୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସମ୍ବଲପୁର ସିଡିଏମଓ ଡାକି ଜେରା କରୁଛନ୍ତି।ଏହି ସମ୍ବେଦନଶୀଳ ଘଟଣା ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଡାକ୍ତର ନୀଳମାଧବ ଶତପଥୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏହି ଆର୍ଥିକ ହେରଫେରର ସତ୍ୟତାକୁ ସ୍ୱୀକାର କରିଛନ୍ତି। ସିଡିଏମ୍ଓ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ଯେ, ଅଡିଟ୍‌ରୁ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ୁଛି। ତେଣୁ ସତ୍ୟାସତ୍ୟ ଉନ୍ମୋଚନ ପାଇଁ ଗଡ଼ପୋଷ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଏବଂ ଫାଶୀମାଲ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ହରିଶ୍ଚନ୍ଦ୍ର ବାଘ ଉଭୟଙ୍କୁ ଡକାଯାଇ କାର୍ଯ୍ୟାଳୟରେ ଘନ ଘନ ଜେରା ସହ ବିଭାଗୀୟ ତଦନ୍ତ ଜାରି ରହିଛି। ଅଡିଟ୍ ରିପୋର୍ଟରୁ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି ଏବଂ ଭିଜିଲାନ୍ସ ଟିମ୍ ତନାଘନା କରୁଛି। ଅଭିଯୋଗ ମୁତାବକ, କିରାଣୀ ଇମତିଆଜ୍ ଅଲୀ ଉଭୟ ଗଡ଼ପୋଷ ଓ ଫାଶୀମାଲ ସ୍ୱାସ୍ଥ୍ୟକେନ୍ଦ୍ରର ଆର୍ଥିକ ଦାୟିତ୍ୱ ତୁଲାଉଥିବାର ସୁଯୋଗ ନେଇ କର୍ମଚାରୀଙ୍କ ପିଏଫ୍ ପାଣ୍ଠିରୁ ଏତେ ବଡ଼ ପରିମାଣର ଟଙ୍କା ତୋସରପାତ କରିଛନ୍ତି। ଏହି ଘଟଣାରେ ବିଗତ ଦୁଇ ତିନି ଦିନ ଧରି ଭିଜିଲାନ୍ସ ଟିମ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଉଭୟ କେନ୍ଦ୍ରର କାଗଜପତ୍ର, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ପିଏଫ୍ ଜମା-ଉଠାଣ ଖାତାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପିଏଫ୍ ଟଙ୍କାର ଏହି ମହାଦୁର୍ନୀତି କେବଳ ଜଣେ କିରାଣୀଙ୍କ ଦ୍ୱାରା ସମ୍ଭବ ନା ଏହା ପଛରେ କୌଣସି ବଡ଼ ର଼୍ୟାକେଟ୍ ସକ୍ରିୟ ରହିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବ୍ୟାଙ୍କ କାରବାର ଯାଞ୍ଚ ଓ ପୂର୍ଣ୍ଣାଙ୍ଗ ଅଡିଟ୍ ଶେଷ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ସ୍ପଷ୍ଟ ହେବ ଏବଂ ଫେରାର କିରାଣୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories