ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଚିକିଲିରେ ପବିତ୍ର ଗୁରୁ ଦିବସ ପାଳିତ।
କଳାହାଣ୍ଡି
କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ସ୍ଥିତ ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ସମ୍ମାନନୀୟ ମଳୟ ବାଗ ସଭାପତିତ୍ୱ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠା କାଳରୁ ନିଜର ଶ୍ରମ ଓ ସାଧନା ଢାଳିଥିବା ତଥା ଏ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ଜାଳି ଥିବା ବରିଷ୍ଠ ଶିକ୍ଷକ ତଥା ଶିକ୍ଷାବିତ ସୁଧୀର ପଣ୍ଡା,ଧନମତ୍ ଧଙ୍ଗଡା ମାଝୀ, ସରଜୁ ପ୍ରସାଦ ସାହୁ, ନୂଆଖାଉ ସୁନାନୀ ଏବଂ ପଦ୍ମନ ସାହୁ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଅନୁଭୂତି ଓ ଆଶୀର୍ବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟ ତରଫରୁ ଏହି ପ୍ରାତଃସ୍ମରଣୀୟ ଗୁରୁଜନମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟ ରେ ଶିକ୍ଷାନୁଷ୍ଠାନ କେବଳ ଇଟା, ପଥର କିମ୍ବା ଚୂନ-ସିମେଣ୍ଟର ଚାରିକାନ୍ଥରେ ବିଦ୍ୟାଳୟ ଗଢ଼ି ଉଠେନାହିଁ, ବରଂ ଗୁରୁଙ୍କ ଦିବ୍ୟ ଚେତନା, ବୌଦ୍ଧିକ ବିଚାର ଓ ତ୍ୟାଗପୂତ ସାଧନାରେ ହିଁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠା ହୋଇଥାଏ ବୋଲି କହିଥିଲେ।
କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗାୟତ୍ରୀ ଷଡ଼ଙ୍ଗୀ,ସରିତା ଧାରା ସାହୁ,କଳ୍ପନା ଶବର, ଦିବ୍ୟା ଶବର, ଏବଂ ଶିକ୍ଷକ ଦୁଲେଶ୍ୱର କୁମାର, ଶାରଦା ସାହୁ, ଭବାନୀ ଶଙ୍କର ଶବର, ଭେଙ୍କଟେଶ୍ୱର ଗୋପାଳ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ ସକ୍ରିୟ ଭାବେ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ ସହିତ ସମଗ୍ର ପରିବେଶ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା। ପରିଶେଷରେ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ ହୋଇଥିଲା।

