Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vigilance Trap: RI-ARI ଙ୍କୁ ଲାଞ୍ଚ ନେବା ପଡିଲା ମହଙ୍ଗା! ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ପୁରୀ: ପୁରୀ ଜିଲ୍ଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ (RI) କଲ୍ୟାଣୀ ଜେନା ଏବଂ ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI) ପୂର୍ଣ୍ଣଚନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଜଣେ ଆବେଦନକାରୀ ନିଜ କୃଷି ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ। ଏହି ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ପାଇଁ ଉଭୟ ଅଧିକାରୀ ୩୫ ହଜାର ଟଙ୍କା ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ଉଭୟ ଅଧିକାରୀ ଜିଦ୍‌ ଧରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଟ୍ରାପ୍‌ ବିଛାଇଥିଲା। ଆଜି ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ଗ୍ରହଣ କରୁଥିବାବେଳେ ଉଭୟଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ ଏବଂ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହି ଟ୍ରାପ୍‌ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଯାଞ୍ଚ ପାଇଁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ମଧ୍ୟ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ବ୍ରହ୍ମକୁଣ୍ଡି (ଚାରିଛକ), ଅଚ୍ୟୁତପୁର (ଚନ୍ଦନପୁର) ଏବଂ ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ଘର ଓ କାର୍ଯ୍ୟାଳୟରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ମାମଲାରେ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories