Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାମୁମାଲ ଆଶ୍ରମ ସ୍କୁଲ ଶ୍ରେଣୀଗୃହ ନିର୍ମାଣ ଦୁର୍ନୀତି: ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିସ୍ଫୋରଣ, ଜିଲ୍ଲାପାଳ ଓ ଭିଜିଲାନ୍ସ ଦ୍ୱାରସ୍ଥ ହେବ ଏସ୍‌ଏମ୍‌ସି କମିଟି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ଜାମୁମାଲ ସ୍କୁଲରେ କୁଚିଣ୍ଡା ଆଇଟିଡିଏ ପକ୍ଷରୁ ଚାଲିଥିବା ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଚରମ ସୀମା ପାର ହୋଇଛି। ନିମ୍ନମାନର କାମକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ ନ କରିବାରୁ ଏବେ ସ୍କୁଲ ପରିଚାଳନା କମିଟି ଏବଂ ଗ୍ରାମବାସୀ ଆନ୍ଦୋଳନମୁଖୀ ହୋଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଭିଜିଲାନ୍ସ ଦ୍ୱାରସ୍ଥ ହେବାକୁ ଚେତାବନୀ ଦିଆଯାଇଛି। ଅନିୟମିତତା ଓ ଅଭିଯୋଗର ମୁଖ୍ୟ ଦିଗ ହେଉଛି, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଶ୍ରେଣୀ କୋଠରୀର ସ୍ତମ୍ଭ (କଲମ) ଗୁଡ଼ିକ ନିୟମାନୁସାରେ ୯ରୁ ୧୦ ଇଞ୍ଚ ହେବା ପରିବର୍ତ୍ତେ ମାତ୍ର ୭.୭ ଇଞ୍ଚ ଥିବା ନେଇ ସହକାରୀ ଯନ୍ତ୍ରୀ ଗୋପୀନାଥ କାଲୋଙ୍କ ୨ ମାସ ପୂର୍ବରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତଦନ୍ତ କରି କଲମ ଭାଙ୍ଗି ନୂଆ ତିଆରି କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ହେଁ, ପରବର୍ତ୍ତୀ ସମୟରେ ଲୋକଙ୍କ ଆପତ୍ତିକୁ ଜାଣିଶୁଣି ଅଣଦେଖା କରିଥିଲେ। ଦୁର୍ବଳ କଲମ ଉପରେ ପତଳା ଛାତ ମଧ୍ୟ ତରବରିଆ ଭାବେ ଗତ ଶନିବାର ଦିନ ପକାଯାଇଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ସେହି ବିବାଦୀୟ କଲମ ଉପରେ ତରବରିଆ ଭାବେ ଛାତ ପକାଇ ଦିଆଯାଇଛି। ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଛାତର ଯେତିକି ମୋଟେଇ ରହିବା କଥା, ତାହା ନ ରଖି ଅତି ପତଳା ଭାବେ ଢଳେଇ ସାରି ଦୁର୍ନୀତିକୁ ଘୋଡ଼ାଇବାକୁ ଚେଷ୍ଟା କରାଯାଇଛି। ସୂଚନା ଫଳକ ବିନା କାର୍ଯ୍ୟ କରାଯାଇଥିବା ନେଇ ମଧ୍ୟ ଆଗରୁ ଜଣାଯାଇଥିଲା। ନିର୍ମାଣ ସ୍ଥଳରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଫଳକ ଲଗାଯାଇ ନାହିଁ, ଯାହାଫଳରେ ପ୍ରକଳ୍ପର ଅଟକଳ ରାଶି ଏବଂ ବିଭାଗୀୟ ତଥ୍ୟ ଲୋକଙ୍କ ନିକଟରେ ଅସ୍ପଷ୍ଟ ରହିଛି। ଏସ୍‌ଏମ୍‌ସି କମିଟିର କର୍ମକର୍ତ୍ତା ଏବେ ଅସନ୍ତୋଷ ଜାହିର କରିଛନ୍ତି। କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଠିକାଦାର ଓ ଯନ୍ତ୍ରୀଙ୍କ ଏହି ବିପଜ୍ଜନକ ମଧୁଚନ୍ଦ୍ରିକାକୁ ସ୍କୁଲ ପରିଚାଳନା କମିଟି ତୀବ୍ର ନିନ୍ଦା କରିଛି। ଏହି ପ୍ରସଙ୍ଗରେ କମିଟି ଅଧ୍ୟକ୍ଷ ଉପେନ୍ଦ୍ର ମୁଣ୍ଡା, ସଦସ୍ୟ ଅର୍ଜୁନ ଜାମଡାଲିଆ, କିଶୋର ମୁଣ୍ଡା, ପ୍ରଶାନ୍ତ ବରିହା, ରଞ୍ଜିତ ସ୍ୱାଇଁ, ରଞ୍ଜିତ ସୁରିନ ଏବଂ ମହିଳା ସଦସ୍ୟା ସୂର୍ଯ୍ୟକାନ୍ତୀ ବାଟିଂ, ମମତା କାଲୋ, ଗୀତା ନାୟକ ଓ ଫୁଲଦାନୀ ମୁଣ୍ଡା ପ୍ରମୁଖ ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି।ସରକାରୀ ରାଜକୋଷ ଲୁଟ୍ ତଥା ନିମ୍ନମାନର ନିର୍ମାଣ ବିରୋଧରେ ତୁରନ୍ତ ସମ୍ବଲପୁର ଜିଲ୍ଲାପାଳ ଏବଂ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇ ଦୋଷୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି କମିଟି କର୍ମକର୍ତ୍ତାମାନେ ସ୍ପଷ୍ଟ କରିଛନ୍ତି।
ଏସଂକ୍ରାନ୍ତରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋପୀନାଥ କାଲୋ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଲେ ମୋତେ ଛାତ ପକେଇବା ବିଷୟରେ ଆଲୋଚନା ନକରି ଛାତ ପକାଇଥିବା କଥା କହିଥିଲେ। ଆଉ ସୂଚନା ଫଳକ ତିଆରି କରି ଲେଖିବା ଓ କଂକ୍ରିଟ ସ୍ତମ୍ଭକୁ ପୁନଃ ନିର୍ମାଣ କରି ଛାତ ପକେଇବା ପାଇଁ କହିଥିଲି ବୋଲି ସଫେଇ ଦେଇଥିଲେ।
ଏବେ ଦେଖିବାକୁ ରହିଲା ଅଧିକାରୀ ମାନେ କେମିତି ଏହାର ସମାଧାନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories