Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନର ଚରମ ଅବହେଳା: ବୁଲା କୁକୁର କାମୁଡ଼ାରେ ଚାଲିଗଲା ଜୀବନ, ଗାଁରେ କୁକୁର ଛାଡ଼ିବା ଘଟଣାକୁ ନେଇ ଜଳୁଛି ଜନଆକ୍ରୋଶ

ଜମନକିରା : ପ୍ରଶାସନର ଖାମଖିଆଲି ମନୋଭାବ ଏବଂ ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ଆଜି ଆଉ ଏକ ନିରୀହ ଜୀବନ ଦୀପ ଲିଭିଯାଇଛି। ସହରରୁ କୁକୁର ଆଣି ରାତିଅଧିଆ ଗାଁମାନଙ୍କରେ ଛାଡ଼ିଦେବାର ସଙ୍ଗିନ ଅଭିଯୋଗ ଭିତରେ ଜମନକିରା ବ୍ଲକରେ ବୁଲା କୁକୁର ଆତଙ୍କ ଭୟଙ୍କର ରୂପ ନେଇଛି। କୁଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୌଡ଼ପାଲି ଗ୍ରାମର ପ୍ରତିଷ୍ଠିତ ଗୌନ୍ତିଆ ପରିବାରର ସଦସ୍ୟ ସୁଶାନ୍ତ ନାଥ ଶର୍ମା ଓରଫ ସୁରୁ ଙ୍କର ଜଳାତଙ୍କ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ କରୁଣ ମୃତ୍ୟୁ ଘଟିଛି।
ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୧୬ ତାରିଖରେ ଏକ ହିଂସ୍ର ବୁଲା କୁକୁର ସୁଶାନ୍ତଙ୍କ ନାକ ଓ ମୁହଁକୁ ଅତି ବିଭତ୍ସ ଭାବେ କାମୁଡ଼ି ଛିଣ୍ଡାଇ ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବୁର୍ଲା ଭୀମସାର୍ ଏବଂ ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ମୁହଁର ଜଟିଳ ଅସ୍ତ୍ରୋପଚାର ସହ ଆଣ୍ଟି-ରାବିସ୍ ଟିକା ଦିଆଯାଇଥିଲା। କିଛି ଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ ମଧ୍ୟ ସେପ୍ଟେମ୍ବର ୬ ତାରିଖ ବିଳମ୍ବିତ ରାତିରେ ହଠାତ୍ ତାଙ୍କ ଶରୀରରେ ଜଳାତଙ୍କ (Rabies) ର ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ପୁଣି ବୁର୍ଲାରେ ଭର୍ତ୍ତି କରିଥିଲେ ହେଁ ୭ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଅଭାବନୀୟ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସହ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ମହାନଗର ନିଗମ (ଏସଏମସି) କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସିବା ପାଇଁ ସହରାଞ୍ଚଳରୁ ଶହ ଶହ ବୁଲା କୁକୁରଙ୍କୁ ଧରି ଗ୍ରାମାଞ୍ଚଳରେ ଛାଡ଼ି ଦେଉଥିବା ଅଭିଯୋଗ ତୀବ୍ର ହେବାରେ ଲାଗିଛି। ସହରରୁ ଆସୁଥିବା ଏହି ଅପରିଚିତ ତଥା ହିଂସ୍ର କୁକୁରମାନେ ଗାଁ ଦାଣ୍ଡରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ଆଜି ପୁଣି ନିକଟସ୍ଥ କଦଳିପାଲ୍ ଗ୍ରାମରେ ଜଣେ ଯୁବକ ବୁଲା କୁକୁର କାମୁଡ଼ାର ଶିକାର ହୋଇଛନ୍ତି।
ଗ୍ରାମାଞ୍ଚଳରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ସମସ୍ତେ ଘରୁ ବାହାରିବାକୁ ଭୟ କରୁଥିବା ବେଳେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି। ସୁଶାନ୍ତଙ୍କ ଅକାଳ ବିୟୋଗ ପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି— ଗାଁ ଲୋକଙ୍କ ଜୀବନର କ’ଣ କୌଣସି ମୂଲ୍ୟ ନାହିଁ? ତୁରନ୍ତ ଏହି ବୁଲା କୁକୁର ଚାଲାଣ ରୋକିବା ଏବଂ ଗ୍ରାମାଞ୍ଚଳକୁ କୁକୁର ଆତଙ୍କରୁ ମୁକ୍ତ କରିବା ପାଇଁ ପ୍ରଶାସନ ଠୋସ୍ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories