ଜମନକିରା ଡିଗ୍ରୀ କଲେଜରେ ‘ଆମ ସ୍ୱାସ୍ଥ୍ୟ ଓ ଜଳର ମହତ୍ତ୍ୱ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ
ଜମନକିରା : ସ୍ଥାନୀୟ ଜମନକିରା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍ ଆନୁକୂଲ୍ୟରେ ‘ଆମ ସ୍ୱାସ୍ଥ୍ୟ ଓ ଜଳର ମହତ୍ତ୍ୱ’ ଶୀର୍ଷକ ଏକ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲ ସମସ୍ତଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ସମାଜସେବୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ଭୋଜପୁର ସୃଷ୍ଟି ନର୍ସିଂ ହୋମର ପ୍ରତିଷ୍ଠାତା ଡାକ୍ତର ହୃଦାନନ୍ଦ ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡାକ୍ତର ନାୟକ ନିଜ ବକ୍ତବ୍ୟରେ ମାନବ ଶରୀରର ଗଠନ, ଦୈନନ୍ଦିନ ଜୀବନରେ ବିଶୁଦ୍ଧ ପାନୀୟ ଜଳର ଭୂମିକା ତଥା ଜଳରେ ଟିଡିଏସ୍ ଏବଂ ପିଏଚ୍ (pH) ମାତ୍ରାର ନିୟନ୍ତ୍ରଣ ସମ୍ପର୍କରେ ଉଦାହରଣ ଛଳରେ ବୁଝାଇଥିଲେ। ପ୍ରଦୂଷିତ ଜଳ ବ୍ୟବହାର ଯୋଗୁଁ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା କିଡନୀ ଜନିତ ସମସ୍ୟା ଉପରେ ସେ ଗଭୀର ଚିନ୍ତା ପ୍ରକଟ କରି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଏନଏସଏସ ଛାତ୍ରଛାତ୍ରୀମାନେ ନିଜ ନିଜ ଘର ଓ ଗ୍ରାମରୁ ସଂଗ୍ରହ କରି ଆଣିଥିବା ପାନୀୟ ଜଳ ନମୁନାର ଟିଡିଏସ୍ ଓ ପିଏଚ୍ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଜଳକୁ କିପରି ଘରୋଇ ଉପାୟରେ ବିଶୁଦ୍ଧ କରାଯାଇ ପାରିବ, ସେ ସମ୍ପର୍କରେ ଡାକ୍ତର ନାୟକ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ପରିଶେଷରେ କଲେଜର ଏନଏସଏସ ସଂଯୋଜକ ଶ୍ରୀ ମନମୋହନ ଜୟବିକାଶ ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

