ଜାମନକିରା ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ: କବିଙ୍କ ସାରସ୍ଵତ ସୃଷ୍ଟିକୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ଆହ୍ୱାନ
ଜମନକିରା : ସ୍ଥାନୀୟ ଜାମନକିରା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ସାହିତ୍ୟ ଆକାଶର ଅମଳିନ ଜ୍ୟୋତିଷ୍କ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଯୋଗେଶ ଭୋଇ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ଭୋଇ ନିଜ ବକ୍ତବ୍ୟରେ କବି ଗଙ୍ଗାଧରଙ୍କ କାଳଜୟୀ କୃତି, ପ୍ରକୃତି ପ୍ରେମ ତଥା ଉଚ୍ଚ ମାନବୀୟ ମୂଲ୍ୟବୋଧଭିତ୍ତିକ ସାହିତ୍ୟ ଉପରେ ଆଲୋକପାତ କରିଥିଲେ। ମେହେର ସାହିତ୍ୟର ଗଭୀରତା ଓ ମୌଳିକତାକୁ ବିଶ୍ଵସ୍ତରକୁ ନେଇଯିବା ପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼. ତୃପ୍ତି ମିଶ୍ର ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ଏବଂ ଅଧ୍ୟାପିକା ଶ୍ରୀମତୀ ଅରୁଣା ମିଶ୍ର କବିଙ୍କ ଜୀବନୀ ଓ ସାରସ୍ଵତ ଅବଦାନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମାରୋହରେ ମହାବିଦ୍ୟାଳୟର ଅଧ୍ୟାପକ ମନମୋହନ ଜୟବିକାଶ ବାଘ, ସିଦ୍ଧାନ୍ତ ସାହୁ, ସୁରଥ ସାହୁ, ମିନିକେତନ ସାହୁ ଏବଂ ଅଧ୍ୟାପିକା ସାଇନା ଭୋଇ, ସୁପର୍ଣ୍ଣା ରାଣୀ ପଟ୍ଟନାୟକ, କୁଣ୍ଡଳୀ ମହାନନ୍ଦ, ସୁଲକ୍ଷଣା ପଟେଲ, ଚେତନା ଗର୍ତିଆ, ବର୍ଣ୍ଣାଳୀ ଦେହୁରୀଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

