2029 ପୂର୍ବରୁ 21 NDA ରାଜ୍ୟରେ UCC, Amit Shahଙ୍କ ବଡ଼ ଘୋଷଣା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୨୯ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଶାସିତ ସମସ୍ତ ୨୧ଟି ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରାଯିବ। ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନକୁ ଧର୍ମ ନିର୍ବିଶେଷରେ ସମାନ କରିବା ଏହାର ଉଦ୍ଦେଶ୍ୟ। କିଛି ରାଜ୍ୟରେ ୟୁସିସି ଲାଗୁ ହୋଇସାରିଥିବା ବେଳେ ଅନ୍ୟ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏହାକୁ ବିସ୍ତାର କରାଯିବ ବୋଲି ମୁମ୍ବାଇରେ ସାମ୍ବାଦିକ ସମ୍ମିଳନୀରେ ଶାହ କହିଛନ୍ତି।
ଶାହ ଆତଙ୍କବାଦ ବିରୋଧରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିର ଉଲ୍ଲେଖ କରିବା ସହ ଧାରା ୩୭୦, ନକ୍ସଲବାଦ ଓ ଉତ୍ତର-ପୂର୍ବାଞ୍ଚଳର ସୁରକ୍ଷା ସମସ୍ୟା ନେଇ ସରକାରଙ୍କ ସଫଳତା ଦାବି କରିଛନ୍ତି। ମଣିପୁରରେ ୧୯୫୧ ଆଧାରବର୍ଷକୁ ନେଇ ଜାତୀୟ ନାଗରିକ ପଞ୍ଜି ବା ଏନ୍ଆର୍ସି ଲାଗୁ କରିବା ସମ୍ପର୍କରେ ଆଲୋଚନା ଚାଲିଥିବା ସେ କହିଛନ୍ତି। ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରାଯିବ ବୋଲି ମଧ୍ୟ ଶାହ ପୁନର୍ବାର କହିଛନ୍ତି।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବସାଧାରଣ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯିବ ବୋଲି ଶାହ ଘୋଷଣା କରିଛନ୍ତି। ବିଜେପି, ଏନ୍ଡିଏ ସହଯୋଗୀ ଦଳ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକଙ୍କୁ ନେଇ ଏହି ଅଭିଯାନ ରାଜ୍ୟ, ଜିଲ୍ଲା, ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ।

