Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Orangutan Smuggling Case: ସନ୍ଦିଗ୍ଧଙ୍କ ତାଲିକା ଲମ୍ବୁଛି, Hotel Ownerଙ୍କ ପତ୍ନୀ-ଝିଅଙ୍କୁ ୫ ଘଣ୍ଟା ଜେରା

ବାଲେଶ୍ୱର ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍‌ ଉଦ୍ଧାର ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ତଦନ୍ତ ଜୋରଦାର ହୋଇଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଦୀଘାସ୍ଥିତ ଗ୍ରାଣ୍ଡ ହେରିଟେଜ୍‌ ହୋଟେଲ୍‌ରେ ଏହି ଚୋରାଚାଲାଣର ଯୋଜନା ହୋଇଥିବା ସନ୍ଦେହ କରାଯାଉଛି। ହୋଟେଲ୍‌ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କୁ ମାମଲାର ମୁଖ୍ୟ ସନ୍ଦିଗ୍ଧ ବୋଲି କୁହାଯାଉଥିବା ବେଳେ, ଉଭୟ ଫେରାର ଥିବା ଏବଂ ସେମାନଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ଥିବା ସୂଚନା ମିଳିଛି।

ଏସ୍‌ଟିଏଫ୍‌ ତଦନ୍ତରେ ଏକ କଳା ଥାର୍‌ ଓ ହୋଟେଲ୍‌ର ସିସିଟିଭି ଫୁଟେଜ୍‌ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଲଟିଛି। ଓରାଂଉଟାନ୍‌ଗୁଡ଼ିକୁ ହୋଟେଲ୍‌ ଭିତରକୁ ନିଆଯାଇଥିବା ସିସିଟିଭି ରେକର୍ଡରୁ ଜଣାପଡ଼ିଥିବା ବେଳେ, ହୋଟେଲ୍‌ର ସିସିଟିଭି ହାର୍ଡଡିସ୍କକୁ ମଧ୍ୟ ଯାଞ୍ଚ କରାଯାଉଛି। ମାଇତି ପରିବାର ସମେତ ପ୍ରାୟ ୧୨ ଜଣ ଘଟଣାରେ ସମ୍ପୃକ୍ତ ଥିବା ପ୍ରାରମ୍ଭିକ ଭାବେ ଜଣାପଡ଼ିଥିବା ବେଳେ, ୬ ଜଣ ସନ୍ଦିଗ୍ଧ ହୋଟେଲ୍‌ରେ ରହିଥିବା ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମ ହୋଟେଲ୍‌ ରେଜିଷ୍ଟରରେ ଥିବା କୁହାଯାଇଛି। ଅଭିଯୁକ୍ତ ବାପା-ପୁଅଙ୍କ ନିକଟରେ ପହଞ୍ଚିବା ପାଇଁ ଏସ୍‌ଟିଏଫ୍‌ ହୋଟେଲ୍‌ ମାଲିକଙ୍କ ପତ୍ନୀ ଓ ଝିଅଙ୍କୁ ପ୍ରାୟ ୫ ଘଣ୍ଟା ଜେରା କରିଛି।

ସୂଚନା ଅନୁସାରେ, ଏହି ୫ଟି ଓରାଂଉଟାନ୍‌କୁ ଜଣେ ଫାର୍ମହାଉସ୍‌ ମାଲିକଙ୍କୁ ବିକ୍ରି କରିବାର ଯୋଜନା ଥିଲା। ତେବେ ଧରାପଡ଼ିବା ଭୟରେ ସେଗୁଡ଼ିକୁ ଭୋଗରାଇ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ଓରାଂଉଟାନ୍‌ଗୁଡ଼ିକ ୮ ତାରିଖରେ ଉଦ୍ଧାର ହୋଇଥିବା ବେଳେ ୯ ତାରିଖରୁ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଥିଲା ଏବଂ ୧୦ ତାରିଖରୁ ବାପା-ପୁଅ ଫେରାର ଥିବା କୁହାଯାଇଛି। ଏବେ ସନ୍ଦିଗ୍ଧଙ୍କ ତାଲିକା ଲମ୍ବୁଥିବାରୁ ଘଟଣାର ରହସ୍ୟ ଆହୁରି ଘନୀଭୂତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ