Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vande Mataram Row: ‘ସମସ୍ତ ପଦ ଗାନ କରିକି ଦେଖାନ୍ତୁ, ମୁଁ ଇସ୍ତଫା ଦେଇ ଦେବି’; ବିଜେପିକୁ ପ୍ରିୟଙ୍କ ଖଡ୍‌ଗେଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବନ୍ଦେ ମାତରମ୍‌ର କେତୋଟି ପଦ ଗାନ କରାଯିବ, ତାହାକୁ ନେଇ କର୍ଣ୍ଣାଟକରେ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ତୀବ୍ର ହୋଇଛି। କର୍ଣ୍ଣାଟକର ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରିୟଙ୍କ ଖଡ୍‌ଗେ ରାଜ୍ୟ ସରକାରଙ୍କ ଦୁଇଟି ସ୍ତବକ ଗାନ ନିଷ୍ପତ୍ତିକୁ ସମର୍ଥନ କରି ବିଜେପି ନେତା ବି.ୱାଇ. ବିଜୟେନ୍ଦ୍ର ଓ ଆର୍. ଅଶୋକଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଟେଲିପ୍ରମ୍ପ୍ଟର କିମ୍ବା କାଗଜ ନଦେଖି ବନ୍ଦେ ମାତରମ୍‌ର ସମସ୍ତ ସ୍ତବକ ଗାଇ ଦେଖାଇଲେ ସେ ଇସ୍ତଫା ଦେବେ ବୋଲି ଖଡ୍‌ଗେ କହିଛନ୍ତି।

ଏହି ପ୍ରସଙ୍ଗରେ ଖଡ୍‌ଗେ କହିଛନ୍ତି ଯେ, କଂଗ୍ରେସର ୧୯୩୭ ମସିହାର ନିଷ୍ପତ୍ତି ଅନୁସାରେ ଦଳୀୟ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍‌ର ପ୍ରଥମ ଦୁଇଟି ସ୍ତବକ ଗାନ କରାଯିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଛଅଟି ସ୍ତବକ ଗାନକୁ ନେଇ ନିର୍ଦ୍ଦିଷ୍ଟ ସରକାରୀ ପ୍ରୋଟୋକଲ ରହିଛି। କର୍ଣ୍ଣାଟକ ସରକାର ମଧ୍ୟ ଅଧିକାଂଶ ସରକାରୀ କାର୍ଯ୍ୟକ୍ରମରେ ପ୍ରଥମ ଦୁଇଟି ସ୍ତବକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି; ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟପାଳ ଉପସ୍ଥିତ ଥିବା କାର୍ଯ୍ୟକ୍ରମ ପାଇଁ ବ୍ୟତିକ୍ରମ ରହିଛି।

ଏହି ବିବାଦ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଦୁଇ-ସ୍ତବକ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ଆବେଦନକାରୀ ଆଇନଜୀବୀ ଗିରିଶ ଭରଦ୍ୱାଜଙ୍କ ଯୁକ୍ତି ହେଉଛି, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ସହ ରାଜ୍ୟ ସରକାରଙ୍କ ଆଦେଶରେ ଅସଙ୍ଗତି ରହିଛି। ଏହି ଆଦେଶକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଛି। ମାମଲାଟି ଏବେ ଆଇନଗତ ବିଚାର ପ୍ରକ୍ରିୟାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories