Odisha Cyclone Update: ବାତ୍ୟା ନେଇ ବଢ଼ିଲା ଚର୍ଚ୍ଚା, GFS-ECMWF ମଡେଲ୍ରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ ସମ୍ଭାବନା!
ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଓ ଲଘୁଚାପକୁ ନେଇ ଓଡ଼ିଶାରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ବିଭିନ୍ନ ପାଣିପାଗ ମଡେଲ୍ର ଆକଳନରେ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀର ଗତିପଥ ଓ ଘନୀଭୂତ ହେବା ନେଇ ଭିନ୍ନ ଭିନ୍ନ ସଙ୍କେତ ମିଳୁଛି। ତେବେ ଏହି ପର୍ଯ୍ୟାୟରେ ଏହାକୁ ନିଶ୍ଚିତ ବାତ୍ୟା କିମ୍ବା ନିର୍ଦ୍ଦିଷ୍ଟ ଲ୍ୟାଣ୍ଡଫଲ୍ ଭାବେ ଧରିବା ଠିକ୍ ହେବ ନାହିଁ। IMDର ଆଧିକାରିକ ପୂର୍ବାନୁମାନ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ।
‘ସୋଆ’ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ଏହାର ଗତିପଥ ଉତ୍ତର-ପଶ୍ଚିମ ଦିଗକୁ ରହିଲେ ଓଡ଼ିଶା ଉପକୂଳ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ନେଇ ଆକଳନ କରାଯାଉଛି। କେତେକ ମଡେଲ୍ରେ ୨୪ ତାରିଖ ଆଖପାଖରେ ଓଡ଼ିଶା ଉପକୂଳ ନିକଟରେ ପ୍ରଣାଳୀ ପହଞ୍ଚିବାର ସଙ୍କେତ ଥିବାବେଳେ, ଏହାର ସଠିକ୍ ଗତିପଥ ଓ ତୀବ୍ରତା ଏବେଠାରୁ ନିଶ୍ଚିତ ହୋଇପାରୁ ନାହିଁ । GFS ଓ ECMWF ଭଳି ମଡେଲ୍ର ପ୍ରାକ୍ ଆକଳନ ସମୟ ସହ ପରିବର୍ତ୍ତିତ ହୋଇପାରେ।
ତେବେ ସମୁଦ୍ରରେ ଏହା ଘନୀଭୂତ ହେବା ପରେ ହିଁ ଏହା କେତେ ଘନୀଭୂତ ହେଉଛି, କେଉଁ ଦିଗକୁ ଗତି କରିବ ଏବଂ ଉପକୂଳରେ ଏହାର ପ୍ରଭାବ କେତେ ରହିବ—ତାହା ଅଧିକ ସ୍ପଷ୍ଟ ହେବ।

