BRICS Summit Security: ଶୀର୍ଷ ସୁରକ୍ଷା ଡ୍ୟୁଟିରେ ରିଲ୍ କରି ଫସିଲେ ଦିଲ୍ଲୀ ପୁଲିସ କନଷ୍ଟେବଳ, ଧରା ପଡିବା ପରେ ପରେ ନିଲମ୍ବିତ
ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ସମୟରେ ସୁରକ୍ଷା ଡ୍ୟୁଟିରେ ଥିବା ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଲଙ୍କ ଇନ୍ଷ୍ଟାଗ୍ରାମ ରିଲ୍ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି। କନଷ୍ଟେବଲ ଦୀପକ ବାଙ୍ଗରଙ୍କୁ ବିଦେଶୀ ପ୍ରତିନିଧିମାନେ ରହୁଥିବା କେନ୍ଦ୍ରୀୟ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲର ଛାତ ଉପରେ ସୁରକ୍ଷା ଡ୍ୟୁଟିରେ ମୁତୟନ କରାଯାଇଥିଲା। ସେଠାରେ ସେ ସ୍ନାଇପର ଓ ନିରୀକ୍ଷଣ ଦଳର ଅଂଶ ଥିଲେ। ରିଲ୍ରେ ସେ ଅସ୍ତ୍ର ସହ ନଜର ଆସିବା ସହ ହୋଟେଲ ଓ ଆଖପାଖ ଅଞ୍ଚଳର ଦୃଶ୍ୟ ମଧ୍ୟ ରେକର୍ଡ ହୋଇଥିଲା।
ଭାଇରାଲ ହୋଇଥିବା ଭିଡିଓରେ ଦୀପକ ସାଧା ପୋଷାକରେ ବ୍ରିକ୍ସ ସମ୍ମିଳନୀର ପରିଚୟପତ୍ର ପିନ୍ଧି ପିସ୍ତଲ ସହ ଦେଖାଯାଇଥିବା ବେଳେ ଅନ୍ୟ ଏକ ଭିଡିଓରେ ସ୍ନାଇପର ରାଇଫଲର ସ୍କୋପ୍ ମାଧ୍ୟମରେ ଦେଖୁଥିବା ନଜର ଆସିଥିଲେ। ଆଉ ଏକ କ୍ଲିପ୍ରେ ଅନ୍ୟ ସୁରକ୍ଷାକର୍ମୀ ଓ ସୁରକ୍ଷା ଉପକରଣ ଦେଖାଯାଇଥିବା ରିପୋର୍ଟ ହୋଇଛି। ଏହି ଭିଡିଓଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନ, ନିରୀକ୍ଷଣ ସ୍ଥଳ ଓ ମୁତୟନ ହୋଇଥିବା କର୍ମଚାରୀଙ୍କ ସମ୍ପର୍କିତ ଦୃଶ୍ୟ ସାମ୍ନାକୁ ଆସିଥିବାରୁ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା। ପରେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ୍ ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।
ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ ଦୀପକଙ୍କୁ ବ୍ରିକ୍ସ ସୁରକ୍ଷା ଡ୍ୟୁଟିରୁ ହଟାଇ ନିଲମ୍ବନ କରିଛି ଏବଂ ତାଙ୍କୁ ଉତ୍ତର-ପଶ୍ଚିମ ଜିଲ୍ଲାକୁ ପଠାଇଦେଇଛି। ଏହି ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଭିଡିଓ କେବେ ଓ କେଉଁ ପରିସ୍ଥିତିରେ ରେକର୍ଡ ଏବଂ ପୋଷ୍ଟ କରାଯାଇଥିଲା, ତାହା ତଦନ୍ତ ପରେ ପରବର୍ତ୍ତୀ ଶୃଙ୍ଖଳାଗତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ୧୮ତମ ବ୍ରିକ୍ସ ସମ୍ମିଳନୀ ସେପ୍ଟେମ୍ବର ୧୨ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହୋଇଥିଲା।

