Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Seema Pahuja: ଦିଶା ସାଲିଆନ ମାମଲାର ତଦନ୍ତ କରିବେ ଏହି ଚର୍ଚ୍ଚିତ CBI ଅଧିକାରୀ, ଜାଣନ୍ତୁ କାହିଁକି ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ୨୦୨୦ ମସିହାର ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ଅଧିକାରୀ ସୀମା ପାହୁଜାଙ୍କ ନେତୃତ୍ୱରେ ଆଗକୁ ବଢ଼ିବ। ବର୍ତ୍ତମାନ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍‌ରେ ଏସ୍‌ପି ଭାବେ କାର୍ଯ୍ୟରତ ସୀମାଙ୍କୁ ଏହି ତଦନ୍ତର ଦାୟିତ୍ୱ ଦିଆଯାଇଛି। ତାଙ୍କ ସହ ଡେପୁଟି ଏସ୍‌ପି ପୂରନ କୁମାରଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ତଦନ୍ତରେ ସାମିଲ ହେବେ। ୨୦୨୦ ଜୁନ୍‌ ୮ରେ ମୁମ୍ବାଇର ମାଲାଡ୍‌ସ୍ଥିତ ଏକ ଆବାସିକ କୋଠାର ୧୪ତମ ମହଲାରୁ ପଡ଼ି ଦିଶାଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭରେ ଏହାକୁ ଆକସ୍ମିକ ମୃତ୍ୟୁ ରିପୋର୍ଟ ଭାବେ ରୁଜୁ କରାଯାଇଥିଲା।

ସୀମା ପାହୁଜାଙ୍କର ଜଟିଳ ଓ ସମ୍ବେଦନଶୀଳ ଅପରାଧ ମାମଲାର ତଦନ୍ତର ଅଭିଜ୍ଞତା ରହିଛି। ସେ ହାଥରସ, ଉନ୍ନାଓ ଏବଂ ୨୦୨୪ର ଆର୍‌ଜି କର ହସ୍ପିଟାଲ ମାମଲାରେ ସିବିଆଇ ତଦନ୍ତ ଟିମ୍‌ରେ କାମ କରିଥିଲେ। ଏହାଛଡ଼ା ହିମାଚଳ ପ୍ରଦେଶର ଚର୍ଚ୍ଚିତ ‘ଗୁଡ଼ିଆ’ ଦୁଷ୍କର୍ମ-ହତ୍ୟା ମାମଲାର ତଦନ୍ତରେ ମଧ୍ୟ ତାଙ୍କ ଭୂମିକା ଥିଲା। ତଦନ୍ତ କ୍ଷେତ୍ରରେ ଅବଦାନ ପାଇଁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ରିପୋର୍ଟ ଅନୁସାରେ, ୨୦୨୧ରେ ତାଙ୍କୁ ‘ବେଷ୍ଟ ଇନ୍‌ଭେଷ୍ଟିଗେଟିଂ ଅଫିସର’ ଗୋଲ୍ଡ ମେଡାଲ୍ ମିଳିଥିଲା।

ଦିଶା ସାଲିଆନ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରି ନୂଆ ଭାବେ ତଦନ୍ତ ଆରମ୍ଭ କରିଛି। ଏଫ୍‌ଆଇଆର୍‌ରେ ଅପରାଧିକ ଷଡ଼ଯନ୍ତ୍ର, ସାମୂହିକ ଦୁଷ୍କର୍ମ, ହତ୍ୟା, ପ୍ରମାଣ ନଷ୍ଟ ଓ ରେକର୍ଡରେ ଅନିୟମିତତା ସମ୍ପର୍କିତ ଧାରା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଏଫ୍‌ଆଇଆର୍‌ରେ ନାମଜଦ ଅଭିଯୁକ୍ତ କରାଯାଇନାହିଁ। ଦିଶାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମଙ୍ଗେତର ରୋହନ ରୟଙ୍କ ଘରେ ହୋଇଥିବା ଏକ ସମାବେଶରେ ଉପସ୍ଥିତ ଲୋକଙ୍କ ବୟାନ ରେକର୍ଡ କରିବା ସହ ଉପଲବ୍ଧ ଦସ୍ତାବିଜ, ଫରେନ୍ସିକ୍‌ ତଥ୍ୟ ଓ ଘଟଣାକ୍ରମକୁ ଯାଞ୍ଚ କରିବ ସିବିଆଇ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ