Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Saudi Arabia: ମକ୍କା ଆକାଶରେ ବଡ଼ ସୁରକ୍ଷା ଆଲର୍ଟ, ଡ୍ରୋନ୍‌ ଖସାଇବା ନେଇ ସାଉଦିର ଦାବି

ନୂଆଦିଲ୍ଲୀ: ସାଉଦି ଆରବର ପବିତ୍ର ସହର ମକ୍କାକୁ ନେଇ ଏକ ବଡ଼ ସୁରକ୍ଷା ଘଟଣା ସାମ୍ନାକୁ ଆସିଛି। ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟର ମୁଖପାତ୍ର ତୁର୍କି ଅଲ-ମାଲିକିଙ୍କ କହିବା ଅନୁସାରେ, ୟେମେନର ହୁତି ବିଦ୍ରୋହୀଙ୍କ ଦିଗରୁ ଆସିଥିବା ଏକ ଡ୍ରୋନ୍‌କୁ ମକ୍କାର ଦକ୍ଷିଣରେ ସାଉଦି ବାୟୁ ପ୍ରତିରକ୍ଷା ବାହିନୀ ଅଟକାଇ ନଷ୍ଟ କରିଦେଇଛି। ଡ୍ରୋନ୍‌ଟି ମକ୍କାର ନିଷିଦ୍ଧ ଆକାଶସୀମାରେ ପ୍ରବେଶ କରିବା ପୂର୍ବରୁ ଖସାଇ ଦିଆଯାଇଥିବା ସାଉଦି ପକ୍ଷରୁ କୁହାଯାଇଛି। ତେବେ ହୁତି ବିଦ୍ରୋହୀମାନେ ମକ୍କାକୁ ଟାର୍ଗେଟ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘଟଣା ପରେ ସାଉଦି ଆରବର ମକ୍କା, ଜେଦ୍ଦା ଓ ତାଇଫ ଅଞ୍ଚଳରେ ସୁରକ୍ଷା ସତର୍କତା ଜାରି କରାଯାଇଥିଲା। ମକ୍କା ପାଇଁ ଏହି ସତର୍କତା ୨୦୧୭ ପରେ ପ୍ରଥମ ଥର ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ କିଛି ମିନିଟ୍‌ ପରେ ବିପଦ ଟଳିଯାଇଥିବା ଦର୍ଶାଇ ସତର୍କତା ପ୍ରତ୍ୟାହାର କରାଯାଇଥିଲା। ସାଉଦି ପକ୍ଷରୁ କୁହାଯାଇଛି ଯେ ପବିତ୍ର ସ୍ଥଳକୁ ଆସୁଥିବା ତୀର୍ଥଯାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଅନ୍ୟପକ୍ଷରେ ହୁତିଙ୍କ ପକ୍ଷରୁ ମକ୍କା କିମ୍ବା ଅନ୍ୟ ଇସଲାମୀୟ ପବିତ୍ର ସ୍ଥଳକୁ ଟାର୍ଗେଟ କରାଯାଇନଥିବା କୁହାଯାଇଛି।

ଏହି ଘଟଣାକୁ ନେଇ ଇସଲାମିକ ସହଯୋଗ ସଂଗଠନ (OIC) ମଧ୍ୟ ଚିନ୍ତା ପ୍ରକାଶ କରିଛି ଏବଂ ମକ୍କା ଓ ମଦିନା ଅଞ୍ଚଳର ସୁରକ୍ଷା ନେଇ କଠୋର ଆଭିମୁଖ୍ୟର କଥା କହିଛି। ସାଉଦି ପକ୍ଷ ଏହାକୁ ମକ୍କାର ସୁରକ୍ଷା ପାଇଁ ଗୁରୁତର ଘଟଣା ବୋଲି ଦେଖୁଥିବା ବେଳେ ହୁତିମାନେ ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି। ତେଣୁ ଡ୍ରୋନ୍‌ର ଉତ୍ସ ଓ ଏହା ପଛରେ ପ୍ରକୃତରେ କାହାର ଭୂମିକା ଥିଲା, ସେନେଇ ଉଭୟ ପକ୍ଷର ଦାବି ମଧ୍ୟରେ ମତଭେଦ ରହିଛି। ଘଟଣା ପରେ ୟେମେନର ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ବଢ଼ୁଥିବା ତଣାପୋଡ଼ ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ