Uttarakhand Glaciers: ଦ୍ରୁତ ଭାବରେ ତରଳୁଛି ଉତ୍ତରାଖଣ୍ଡର ୨୩ ହିମବାହ, ବଢ଼ୁଛି ବନ୍ୟା ଓ GLOF ବିପଦ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ଏବେ ହିମାଳୟ ଅଞ୍ଚଳର ହିମବାହ ଉପରେ ସ୍ପଷ୍ଟ ଭାବେ ଦେଖାଯାଉଛି। ଉତ୍ତରାଖଣ୍ଡର ୨୩ଟି ପ୍ରମୁଖ ହିମବାହ ଉପରେ ହୋଇଥିବା ଏକ ଅଧ୍ୟୟନରେ ସେଗୁଡ଼ିକ ଦ୍ରୁତ ଗତିରେ ତରଳୁଥିବା ଜଣାପଡ଼ିଛି। ୱାଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହିମାଲୟାନ୍ ଜିଓଲୋଜିର ବୈଜ୍ଞାନିକ ଜ୍ୟୋତି କୁମାରୀ, ଗିରିଶ ଚନ୍ଦ୍ର କୋଠିୟାରୀ, ଅତୁଲ କୁମାର ପାଟିଦାର ଓ ମନୀଷ ମେହତାଙ୍କ ଅଧ୍ୟୟନ ‘Discover Geoscience’ ପତ୍ରିକାରେ ପ୍ରକାଶ ପାଇଛି। ଗବେଷଣାରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ସହ ହିମବାହର ଆକାର, ଢାଲ ଓ ବରଫ ଉପରେ ଥିବା ଆବର୍ଜନା ମଧ୍ୟ ତରଳିବାର ଗତିକୁ ପ୍ରଭାବିତ କରୁଛି।
ଅଧ୍ୟୟନ ଅନୁସାରେ, ଗଙ୍ଗୋତ୍ରୀ ହିମବାହ ବର୍ଷକୁ ପ୍ରାୟ ୨୧ରୁ ୨୨ ମିଟର ହାରରେ ପଛକୁ ହଟୁଛି। ମିଲମ୍ ହିମବାହର ତରଳିବା ହାର ବର୍ଷକୁ ୩୨ରୁ ୩୭.୮ ମିଟର ଏବଂ ଖାତଲିଙ୍ଗ ହିମବାହର ହାର ପ୍ରାୟ ୮୮ ମିଟର ବୋଲି ଅଧ୍ୟୟନରେ ଦର୍ଶାଯାଇଛି। ପିଣ୍ଡାରୀ ହିମବାହର ପୁରୁଣା ତଥ୍ୟ ଓ ୨୦୦୦-୨୦୧୮ ମଧ୍ୟର ତଥ୍ୟକୁ ତୁଳନା କରିବାରୁ ଏହାର ପଛକୁ ହଟିବା ହାର ମଧ୍ୟ ବଢ଼ିଥିବା ଜଣାପଡ଼ିଛି। ମିଲମ୍, ଖାତଲିଙ୍ଗ, ଗଙ୍ଗୋତ୍ରୀ, ସତୋପନ୍ଥ, ରମଣୀ ଓ ଜୌନ୍ଧର ଭଳି ହିମବାହରେ ଦ୍ରୁତ ପରିବର୍ତ୍ତନ ଦେଖାଯାଇଛି।
ବୈଜ୍ଞାନିକମାନଙ୍କ ଚିନ୍ତାର ଆଉ ଏକ ବଡ଼ କାରଣ ହେଉଛି ହିମବାହ ତରଳିବାରୁ ସୃଷ୍ଟି ହେଉଥିବା ବିପଦ। ହିମବାହ ତରଳିବା ଫଳରେ ହିମବାହ ହ୍ରଦ ଫାଟି ହଠାତ୍ ବନ୍ୟା ଆସିବା, ଭୂସ୍ଖଳନ, ତୁଷାରଧସ ଓ ଉଚ୍ଚ ପାହାଡ଼ରୁ ମାଟି-ପଥର ତଳକୁ ଆସିବାର ଆଶଙ୍କା ବଢ଼ୁଛି। ୨୦୦୦ ମସିହା ପରଠାରୁ ହିମବାହ ତରଳିବାର ଗତି ବଢ଼ିଥିବା ଗବେଷଣାରେ କୁହାଯାଇଛି। ଉଚ୍ଚ ଅଞ୍ଚଳରେ ପୂର୍ବରୁ ଯେଉଁଠାରେ ବରଫପାତ ହେଉଥିଲା, ସେଠାରେ ବର୍ତ୍ତମାନ ବର୍ଷା ହେବା, ଗ୍ରୀଷ୍ମ ଋତୁ ଦୀର୍ଘ ହେବା ଏବଂ ଶୀତଦିନରେ ବରଫପାତ କମିବା ଏହାର ପ୍ରମୁଖ କାରଣ ମଧ୍ୟରେ ରହିଛି। ହିମାଳୟରୁ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ ଓ ଅନ୍ୟାନ୍ୟ ପ୍ରମୁଖ ନଦୀ ବାହାରୁଥିବାରୁ ଏହି ପରିବର୍ତ୍ତନ ଜଳସୁରକ୍ଷା ଉପରେ ମଧ୍ୟ ପ୍ରଭାବ ପକାଇପାରେ।

