Cyclone Update: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ, ବାତ୍ୟା ନେଇ ଆଶଙ୍କା! ୨୨ରୁ ପ୍ରବଳ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଅଧିକ ସଂଗଠିତ ହେଉଥିବାରୁ ଓଡ଼ିଶାରେ ବାତ୍ୟା ଆଶଙ୍କାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ଲଘୁଚାପଟି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ଅବପାତ ଏବଂ ୨୨ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବାର ଆକଳନ କରାଯାଇଛି। ପରେ ଏହା ୨୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ।
ତେବେ ଏହି ଲଘୁଚାପ ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ବର୍ତ୍ତମାନ ସ୍ପଷ୍ଟ ଆକଳନ ହୋଇନାହିଁ। ଯଦି ଏହା ଅଧିକ ସମୟ ଧରି ସମୁଦ୍ର ଉପରେ ରହି ଶକ୍ତି ସଂଗ୍ରହ କରେ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ। କିନ୍ତୁ ବର୍ତ୍ତମାନ ଏହା ଆଶାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି। ଲଘୁଚାପ ପ୍ରଭାବରେ ୨୨ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଜାରି ରହିପାରେ।
୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ୨୩ ତାରିଖରୁ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀର କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

