BMC Action: ଭୁବନେଶ୍ୱରର ଏହି ପ୍ରମୁଖ ରାସ୍ତାରେ ଆଉ ଲାଗିବନି ହୋର୍ଡିଂ, BMC ନେଲା ବଡ଼ ନିଷ୍ପତ୍ତି
ଭୁବନେଶ୍ୱର: ଏଣିକି ଭୁବନେଶ୍ୱରରେ ବଡ଼ ହୋର୍ଡିଂ ଉପରେ ଲାଗିବ ଅଙ୍କୁଶ। ବିଏମ୍ସି ବୈଠକରେ ୪୦ ଫୁଟରୁ ଅଧିକ ଉଚ୍ଚତାର ହୋର୍ଡିଂ ସହ ବେଆଇନ ଭାବେ ଲାଗିଥିବା ବିଜ୍ଞାପନ ଫଳକଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ସହରର ସୌନ୍ଦର୍ଯ୍ୟ ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଥିବା ବେଳେ, ଅନୁମତି ବିନା ଲାଗିଥିବା ହୋର୍ଡିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ହୋର୍ଡିଂମୁକ୍ତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଜି ଛକରୁ ଲୋକସେବା ଭବନ ଦେଇ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ‘ନୋ ହୋର୍ଡିଂ ଜୋନ୍’ କରାଯିବ। ଏହି ଅଞ୍ଚଳରେ ବେଆଇନ କିମ୍ବା ଅସ୍ଥାୟୀ ବିଜ୍ଞାପନ ଫଳକ ରଖିବା ଉପରେ କଟକଣା ରହିବ। ବିଏମ୍ସିର ପୂର୍ବ ନିୟମରେ ମଧ୍ୟ କିଛି ପ୍ରମୁଖ ଅଞ୍ଚଳକୁ ବିଜ୍ଞାପନ ହୋର୍ଡିଂ ପାଇଁ ନିଷିଦ୍ଧ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା।
ବିଏମ୍ସିର ବିଜ୍ଞାପନ ନିୟମ ଅନୁସାରେ ଅନୁମତି ବିନା କୌଣସି ସ୍ଥାନରେ ହୋର୍ଡିଂ କିମ୍ବା ବିଜ୍ଞାପନ ଲଗାଇବା ଯାଇନାହିଁ। ଏବେ ନିୟମ ଉଲ୍ଲଂଘନ କରି ଲାଗିଥିବା ବଡ଼ ହୋର୍ଡିଂ ଚିହ୍ନଟ କରି ହଟାଇବା ଉପରେ ଜୋର ଦିଆଯିବ। ଏହି କାର୍ଯ୍ୟାନୁଷ୍ଠାନ ପରେ ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ବିଜ୍ଞାପନ ଫଳକ ସଂଖ୍ୟା କମିବା ସହ ସହରର ଦୃଶ୍ୟପଟରେ ମଧ୍ୟ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

