Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IMD Weather Alert: ଓଡ଼ିଶାରେ ୩ ଦିନ ପ୍ରବଳ ବର୍ଷା, ଏକାଧିକ ଜିଲ୍ଲାକୁ ରେଡ୍ ଆଲର୍ଟ; ବଢ଼ିବ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ଆଗାମୀ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ବିଶାଖାପାଟଣା-ଗୋପାଳପୁର ମଧ୍ୟରେ, ଶ୍ରୀକାକୁଲମ ନିକଟରେ ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନ ୭୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ବୁଧବାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହାବ୍ୟତୀତ ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ଗୁରୁବାର ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ।

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନକୁ ସତର୍କ କରାଯାଇଛି। ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର ଓ ନୟାଗଡ଼ରେ ୨୪ ତାରିଖ ପର୍ଯ୍ୟନ୍ତ ଏବଂ ମାଲକାନଗିରିରେ ୨୫ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବାବେଳେ ୩୩ଟି ଓଡ୍ରାଫ୍‌ ଟିମ୍‌ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ