Deep Depression: ୭ କିମି ବେଗରେ ଉପକୂଳ ମୁହାଁ, ଆଜି ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ଅବପାତ
ଭୁବନେଶ୍ୱର: ଗଭୀର ଅବପାତ ଧୀର ଗତିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ମଙ୍ଗଳବାର ରାତି ପ୍ରାୟ ୧୦ଟା ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୧୫୦ କିମି, ପୁରୀଠାରୁ ୨୧୦ କିମି ଏବଂ ବିଶାଖାପାଟଣାଠାରୁ ୨୨୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା। ଗତ ୬ ଘଣ୍ଟାରେ ପ୍ରାୟ ୧୨ କିମି ବେଗରେ ଏହା ଆଗକୁ ବଢ଼ିଥିବାବେଳେ, ସମୁଦ୍ରରେ ପବନର ବେଗ ୫୦ରୁ ୬୦ କିମି ପ୍ରତିଘଣ୍ଟା ରହିଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ଗଭୀର ଅବପାତ ଆଜି ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିପାରେ ଏବଂ ଝଟକା ପବନ ୭୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।
ଅବପାତର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପବନ ସହ ବର୍ଷା ଜାରି ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶା ଆଡ଼କୁ ଗତି କରିପାରେ। ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି।

