Ration Card: ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ବଡ ଖବର! ରାଜ୍ୟରେ ୯.୮୧ ଲକ୍ଷ ଆବେଦନ ବାତିଲ, ବିଧାନସଭାରେ ମନ୍ତ୍ରୀ ଦେଲେ ବଡ଼ ତଥ୍ୟ
ଭୁବନେଶ୍ୱର: ଓଡ଼ିଶାରେ ନୂଆ ରାଶନ କାର୍ଡ ପାଇଁ ଆବେଦନ କରିଥିବା ଲୋକଙ୍କୁ ନେଇ ବିଧାନସଭାରେ ବଡ଼ ତଥ୍ୟ ଦିଆଯାଇଛି। ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଶନ କାର୍ଡ ଆବେଦନର ଯାଞ୍ଚ ସମ୍ପର୍କିତ ତଥ୍ୟ ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ନୂଆ ରାଶନ କାର୍ଡ ପାଇଁ ମୋଟ ୨୧ ଲକ୍ଷ ୮୭ ହଜାର ୮୫ଟି ଆବେଦନ ମିଳିଥିଲା। ଏଥିରୁ ୧୬ ଲକ୍ଷ ୯୯ ହଜାର ୪୫୧ଟି ଆବେଦନର କ୍ଷେତ୍ର ଯାଞ୍ଚ ଶେଷ ହୋଇଛି।
ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ୭ ଲକ୍ଷ ୧୭ ହଜାର ୭୯୦ ପରିବାରର ୧୪ ଲକ୍ଷ ୨୧ ହଜାର ୨୨୪ ଜଣ ସଦସ୍ୟଙ୍କୁ ନୂଆ ରାଶନ କାର୍ଡ ଦିଆଯାଇସାରିଛି। ଅନ୍ୟପଟେ ଯାଞ୍ଚ ସମୟରେ ୯ ଲକ୍ଷ ୮୧ ହଜାର ୬୬୧ଟି ଆବେଦନ ଅଯୋଗ୍ୟ ବୋଲି ଜଣାପଡ଼ିବା ପରେ ବାତିଲ ହୋଇଛି। ଅର୍ଥାତ୍ ଆବେଦନ କରିଥିବା ସମସ୍ତଙ୍କୁ ରାଶନ କାର୍ଡ ମିଳିନାହିଁ। ଯୋଗ୍ୟତା ଯାଞ୍ଚ ପରେ ହିଁ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରାଯାଉଛି।
ବର୍ତ୍ତମାନ ମଧ୍ୟ ୪ ଲକ୍ଷ ୮୭ ହଜାର ୬୩୪ଟି ଆବେଦନର ଯାଞ୍ଚ ପ୍ରକ୍ରିୟା ଚାଲିଛି। ତେଣୁ ଏହି ଆବେଦନଗୁଡ଼ିକର ଚୂଡ଼ାନ୍ତ ସ୍ଥିତି ଯାଞ୍ଚ ଶେଷ ହେବା ପରେ ସ୍ପଷ୍ଟ ହେବ। ରାଜ୍ୟରେ ରାଶନ କାର୍ଡ ସମ୍ପର୍କିତ ସେବା ପାଇଁ ଖାଦ୍ୟ ଯୋଗାଣ ବିଭାଗର ଅନଲାଇନ୍ ବ୍ୟବସ୍ଥା ରହିଛି ଏବଂ ବିଭାଗୀୟ ୱେବସାଇଟରେ ରାଶନ କାର୍ଡ ସେବା ସମ୍ପର୍କିତ ସୂଚନା ଉପଲବ୍ଧ ଅଛି।

