Deep Depression Alert: ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ବିପଦ, ୪ ଜିଲ୍ଲାକୁ ରେଡ ଆଲର୍ଟ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ମନ୍ଥର ଗତିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଆଜି ରାତି ସୁଦ୍ଧା ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିପାରେ।
ପାଣିପାଗ ସ୍ଥିତିକୁ ନଜରରେ ରଖି ୪ଟି ଜିଲ୍ଲାକୁ Red Alert ଜାରି କରାଯାଇଛି। ଏଥିସହ ରାଜ୍ୟର ଅନେକ ଜିଲ୍ଲା ପାଇଁ Orange Alert ଜାରି ହୋଇଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ପବନର ପ୍ରଭାବ ମଧ୍ୟ ରହିପାରେ।
ଗଭୀର ଅବପାତର ଗତି ଓ ପ୍ରଭାବକୁ ନେଇ ପାଣିପାଗ ବିଭାଗ ନଜର ରଖିଛି। ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ପ୍ରଭାବ ପକାଇପାରୁଥିବାରୁ ତଳିଆ ଅଞ୍ଚଳ, ନଦୀକୂଳ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ନଜର ରଖାଯାଉଛି।

