Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Swargadwar Wood Shortage: ସ୍ୱର୍ଗଦ୍ୱାରରେ ସରିଗଲା କାଠ, ଦେଢ଼ ଘଣ୍ଟା ଅପେକ୍ଷାରେ ୨୦ରୁ ଅଧିକ ଶବ, ବଢ଼ିଲା ଅସନ୍ତୋଷ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଦେଖାଦେଇଛି କାଠର ଅଭାବ। ସୂଚନା ଅନୁଯାୟୀ, ଗତକାଲି ବୁଧବାର ଅପରାହ୍ଣ ପ୍ରାୟ ୫ଟାରୁ ସାଢ଼େ ୬ଟା ମଧ୍ୟରେ ଶବଦାହ ପାଇଁ ଆସିଥିବା ୨୦ରୁ ଅଧିକ ଶବ କାଠ ଅଭାବରୁ ଅପେକ୍ଷାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି। ପ୍ରାୟ ଦେଢ଼ ଘଣ୍ଟା ପରେ କାଠ ବୋଝେଇ ଗାଡ଼ି ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ଶବଦାହ ଆରମ୍ଭ ହୋଇଥିଲା। ସେତେବେଳେ ଘଟଣାସ୍ଥଳରେ ମୃତକଙ୍କ ପରିଜନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୂଚନା ଅନୁସାରେ, ବୁଧବାର ସ୍ୱର୍ଗଦ୍ୱାରରେ ୧୦୦ରୁ ଅଧିକ ଶବଦାହ ହୋଇଥିବା ବେଳେ ଅପରାହ୍ଣରେ ଆବଶ୍ୟକୀୟ ସାଇଜ୍‌ର କାଠ ସମ୍ପୂର୍ଣ୍ଣ ସରିଯାଇଥିଲା।

ସ୍ୱର୍ଗଦ୍ୱାରରେ ଦୈନିକ ପ୍ରାୟ ୯୦ରୁ ୧୪୦ଟି ଶବଦାହ ହେଉଥିବା କୁହାଯାଉଛି। ଏଥିପାଇଁ ଦୈନିକ ୨୦୦ କ୍ୱିଣ୍ଟାଲରୁ ଅଧିକ ଝାଉଁ କାଠ ଆବଶ୍ୟକ ହେଉଥିବା ବେଳେ ଆବଶ୍ୟକତା ଅନୁସାରେ କାଠ ମିଳୁନଥିବା ଅଭିଯୋଗ ହୋଇଛି। ସ୍ୱର୍ଗଦ୍ୱାରକୁ କାଠ ଯୋଗାଣ ଦାୟିତ୍ୱ ଓଏଫ୍‌ଡିସି ନେଇଛି। ପୂର୍ବରୁ କ୍ୱିଣ୍ଟାଲ ପିଛା ୯୦୦ ଟଙ୍କା ନିଆଯାଉଥିବା ବେଳେ ଏବେ ୧୨୦୦ ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଆବଶ୍ୟକ ସାଇଜ୍‌ର ଶୁଖିଲା ଝାଉଁ କାଠ ବଦଳରେ ଅନ୍ୟ କଞ୍ଚା କାଠ ମଧ୍ୟ ଆସୁଥିବାରୁ ଶବଦାହ ସମୟରେ ଅଧିକ ଧୂଆଁ ସୃଷ୍ଟି ହେଉଛି।

ଅନ୍ୟପଟେ ସ୍ୱର୍ଗଦ୍ୱାରରେ ମାତ୍ର ୨୮ଟି ପିଣ୍ଡି ଥିବାରୁ ସନ୍ଧ୍ୟା ସମୟରେ ଅଧିକ ଶବ ପହଞ୍ଚିଲେ ସମସ୍ୟା ଆହୁରି ବଢ଼ୁଥିବା କୁହାଯାଉଛି। ବର୍ଷା ଦିନରେ ଅନ୍ୟ ଶ୍ମଶାନରେ ଶୁଖିଲା କାଠ ଓ ଉପଯୁକ୍ତ ବ୍ୟବସ୍ଥାର ଅଭାବ ଯୋଗୁଁ ଅନେକ ପରିବାର ସ୍ୱର୍ଗଦ୍ୱାରକୁ ଶବ ନେଇ ଆସୁଛନ୍ତି। ଏଭଳି ସ୍ଥିତିରେ କାଠ ଅଭାବ ସମସ୍ୟାକୁ ନେଇ ପରିଜନମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିରବଚ୍ଛିନ୍ନ କାଠ ଯୋଗାଣ ଏବଂ ଶବଦାହ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି। କାଠ ଯୋଗାଣରେ କାହିଁକି ଏଭଳି ଅଭାବ ଦେଖାଦେଲା ଏବଂ ଏହାର ସ୍ଥାୟୀ ସମାଧାନ କିପରି ହେବ, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories