Deep Depression: ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ, କୋରାପୁଟ-ନବରଙ୍ଗପୁର-କଳାହାଣ୍ଡିକୁ ରେଡ୍ ଆଲର୍ଟ
ଭୁବନେଶ୍ଵର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ଥିବା ଗଭୀର ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହା ରାୟଗଡ଼ାଠାରୁ ପ୍ରାୟ ୮୦ କିଲୋମିଟର, କଳିଙ୍ଗପଟନମଠାରୁ ୭୦ କିଲୋମିଟର ଏବଂ ଜଗଦଲପୁରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଓଡ଼ିଶାରେ ପ୍ରବେଶ ସମୟରେ ଏହି ଗଭୀର ଅବପାତର ପ୍ରଭାବ ରହିବ। ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇ ଛତିଶଗଡ଼ ଆଡ଼କୁ ଗତି କରିପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆହୁରି ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।
ସେହିପରି ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଦିଆଯାଇଛି। ପ୍ରବଳ ବର୍ଷା ସମୟରେ ଅତ୍ୟାବଶ୍ୟକ ନଥିଲେ ବାହାରକୁ ଯାତାୟାତ ନକରିବା, ନଦୀ, ନାଳ, ଜଳଭର୍ତ୍ତି ଅଞ୍ଚଳ ଓ ଦୁର୍ବଳ ପୋଲ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଉଛି। ରେଡ୍ ଓ ଅରେଞ୍ଜ୍ ଆଲର୍ଟ ଜିଲ୍ଲାର ଲୋକେ ପାଣିପାଗ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନୂଆ ସୂଚନା ଉପରେ ନଜର ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ।

