Odisha Weather: ଆଜି ବି ଛେଚିବ ବର୍ଷା, ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ରବିବାରରୁ ମିଳିବ ଆଶ୍ୱସ୍ତି
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ଜାରି ରହିଛି ବର୍ଷା। ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିଥିବା ବେଳେ ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି। ନୂଆପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ୪୦ରୁ ୫୦ କିମି ବେଗରେ ପବନ ବହିପାରେ।
ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଶନିବାର ବର୍ଷାର ପରିମାଣ କିଛିଟା କମିବାର ସମ୍ଭାବନା ଥିଲେ ମଧ୍ୟ ବରଗଡ଼ ଓ ନୂଆପଡ଼ାରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଗଭୀର ଅବପାତ ଧୀରେ ଧୀରେ ଦୁର୍ବଳ ହୋଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ବର୍ଷା ଜାରି ରହିପାରେ।
ରବିବାରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ଧୀରେଧୀରେ କମିବାର ସମ୍ଭାବନା ରହିଛି। ତେବେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ଆଶଙ୍କା ନେଇ ମଧ୍ୟ ସତର୍କ କରାଯାଇଛି। ଇନ୍ଦ୍ରାବତୀ ଓ କୋଲାବ ନଦୀର ଜଳସ୍ତର ବଢ଼ିପାରେ। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପର୍ଯ୍ୟାୟରେ ଆଉ କୌଣସି ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପର ବଡ଼ ସମ୍ଭାବନା ନଥିବାରୁ ଆଗାମୀ ଦିନରେ ବଡ଼ ଧରଣର ବର୍ଷାର ଆଶଙ୍କା କମ୍ ଥିବା କୁହାଯାଇଛି।

