ଆବାସିକ ଛାତ୍ରୀ ନିବାସରେ ବୃଦ୍ଧି ହୋଇଛି ନାବାଳିକା ଗର୍ଭବତୀଙ୍କ ସଂଖ୍ୟା! ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ଆବାସିକ ବିଦ୍ୟାଳୟ ଓ ଛାତ୍ରୀ ହଷ୍ଟେଲରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଆବାସିକ ହଷ୍ଟେଲରେ ରହୁଥିବା ୧୫ ଜଣ ନାବାଳିକା ଗର୍ଭବତୀ ହୋଇଥିବା ରେକର୍ଡ ହୋଇଛି। ଏହି ତଥ୍ୟ ଆବାସିକ ବିଦ୍ୟାଳୟଗୁଡ଼ିକରେ ନିରୀକ୍ଷଣ ଓ ଛାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି |
ଜିଲ୍ଲାୱାରୀ ତଥ୍ୟରେ କନ୍ଧମାଳରେ ସର୍ବାଧିକ ୫ ଜଣ ଏବଂ କୋରାପୁଟରେ ୪ ଜଣ ନାବାଳିକାଙ୍କ ମାମଲା ରେକର୍ଡ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ୨୦୨୪-୨୫ ଶିକ୍ଷାବର୍ଷରେ ଆବାସିକ ହଷ୍ଟେଲରେ ରହୁଥିବା ୯ ଜଣ ଆଦିବାସୀ ନାବାଳିକା ଗର୍ଭବତୀ ହୋଇଥିବା ରେକର୍ଡ ହୋଇଥିଲା।
ଛାତ୍ରୀଙ୍କ ସୁରକ୍ଷା ନେଇ ପୂର୍ବରୁ ମଧ୍ୟ ରାଜ୍ୟର ଆବାସିକ ବିଦ୍ୟାଳୟଗୁଡ଼ିକରେ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ୨୦୨୬ ମାର୍ଚ୍ଚରେ କନ୍ଧମାଳର ଏକ ଆବାସିକ ବିଦ୍ୟାଳୟର ୯ମ ଶ୍ରେଣୀର ଜଣେ ଛାତ୍ରୀ ଶିଶୁକୁ ଜନ୍ମ ଦେଇଥିବା ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହାଛଡ଼ା, ସମ୍ପ୍ରତି କେନ୍ଦ୍ରାପଡ଼ାର ଏକ ଶେଲ୍ଟର ହୋମ୍ରେ ନାବାଳିକାଙ୍କ ସୁରକ୍ଷାକୁ ନେଇ ଅଭିଯୋଗ ପରେ ରାଜ୍ୟ ସରକାର ସମସ୍ତ ଶିଶୁ ଆବାସିକ ସଂସ୍ଥାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

