ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ
ବାଲିଗୁଡ଼ା, ତା, ୨୭/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି। ମୂଲ୍ୟବାନ ଯନ୍ତ୍ରାଂଶ ପଡ଼ିପଡ଼ି ନଷ୍ଟ ହେଉଥିବା ବେଳେ ଚାଷୀଙ୍କ ଫସଲ ସଂରକ୍ଷଣର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହେବାକୁ ବସିଛି। ବାଲିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳ ପନିପରିବା, ଅଦା, ହଳଦୀ ସମେତ ବିଭିନ୍ନ ଉଦ୍ୟାନଭିତ୍ତିକ ଫସଲ ଉତ୍ପାଦନର ଏକ ପ୍ରମୁଖ ଅଞ୍ଚଳ। ଚାଷୀଙ୍କ ଅମଳ ସାମଗ୍ରୀ ସଂରକ୍ଷଣ କରି ଅଭାବୀ ବିକ୍ରି ରୋକିବା ସହ ଉଚିତ ଦର ପାଇବାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୪ ମସିହାରେ ୩୬ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ବାଲିଗୁଡ଼ା ଆଇଟିଡିଏ ଓ ଜାତୀୟ ଉଦ୍ୟାନ ମିଶନ ଯୋଜନା ଅଧୀନରେ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏହି ଶୀତଳଭଣ୍ଡାର ନିର୍ମାଣ ହୋଇଥିଲା। ନିର୍ମାଣ ପରେ ଏହା ବ୍ଲକ କୃଷକ ସଂଗଠନକୁ ହସ୍ତାନ୍ତର ହୋଇଥିଲା। ପ୍ରାରମ୍ଭିକ ସମୟରେ ଚାଷୀମାନେ ଏହାର ସୁବିଧା ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଓ ପରିଚାଳନାର ଅଭାବରୁ ଏହା ଧୀରେଧୀରେ ଅଚଳ ହୋଇଗଲା। ଏବେ ଦୀର୍ଘ ସମୟ ଧରି ବ୍ୟବହାର ନ ହୋଇ ଯନ୍ତ୍ରାଂଶଗୁଡ଼ିକ ନଷ୍ଟ ହେବାକୁ ବସିଛି। ସରକାରୀ ଅର୍ଥରେ ନିର୍ମିତ ସମ୍ପତ୍ତି ଏଭଳି ଅବ୍ୟବହୃତ ହୋଇ ନଷ୍ଟ ହେଉଥିବା ବେଳେ ଦାୟିତ୍ୱ କାହାର—ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଅମଳ କରୁଛନ୍ତି, ଅନ୍ୟପଟେ ଉଚିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଅମଳ ସାମଗ୍ରୀକୁ କମ୍ ଦରରେ ବିକ୍ରି କରିବାକୁ ପଡ଼ୁଛି। ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଆୟ ଉପରେ ପଡ଼ୁଛି। ଏପରି ସ୍ଥିତିରେ ଶୀତଳଭଣ୍ଡାରର ଅବସ୍ଥା ଯାଞ୍ଚ କରି ନଷ୍ଟ ହୋଇଥିବା ଯନ୍ତ୍ରାଂଶ ବଦଳାଇବା, ଆବଶ୍ୟକ ମରାମତି କରିବା ଏବଂ ଏହାକୁ ଶୀଘ୍ର ପୁନଃକାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଉଦ୍ୟାନ ବିଭାଗ ନିକଟରେ ଦାବି ଜଣାଇଛନ୍ତି। ଏନେଇ ଉଦ୍ୟାନ ବିଭାଗ ଅଧିକାରୀ ନିରଞ୍ଜନ ଦ୍ୱିବେଦୀ କହିଛନ୍ତି, ଶୀତଳଭଣ୍ଡାରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ନେଇ ଚାଷୀମାନେ ତାଙ୍କୁ ଭେଟିଛନ୍ତି। ଏହାକୁ କିପରି ପୁନଃକାର୍ଯ୍ୟକ୍ଷମ କରାଯାଇପାରିବ, ସେନେଇ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ୩୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଭିତ୍ତିଭୂମି ଯଦି ଚାଷୀଙ୍କ କାମରେ ନ ଆସି ଯନ୍ତ୍ରାଂଶ ସହ ନଷ୍ଟ ହୋଇଯାଏ, ତେବେ ଏହା କେବଳ ଏକ ଅଚଳ ଶୀତଳଭଣ୍ଡାର ନୁହେଁ, ସରକାରୀ ଯୋଜନାର ଉଦ୍ଦେଶ୍ୟ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନଚିହ୍ନ।

